କନକ ବ୍ୟୁରୋ : ବର୍ଷା ପାଇଁ ସ୍କୁଲ ଛୁଟି । ଲଗାଣ ବର୍ଷା ପାଇଁ ଗଂଜାମ, ଗଜପତି ,ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ରାଜ୍ୟରେ ଗତକାଲି ଠାରୁ ବର୍ଷା ଲାଗିରହିଥିବା ବେଳେ ଗଂଜାମ, ଗଜପତି,ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସମେତ ବ୍ରହ୍ମପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବ୍ରହ୍ମପୁରରେ ଗତକାଲିଠାରୁ ଲଗାଣ ବର୍ଷା ଫଳରେ ଅନେକ ଅଂଚଳରେ ପାଣି ପଶିଯାଇଛି । ବିଶେଷକରି ଖାଲୁଆ ଓ ତଳିଆ ଅଂଚଳରେ ପାଣିପଶିବା ଯୋଗୁଁ ଲୋକେ ହଇରାଣ ହୋଇଛନ୍ତି । ତେବେ ସ୍କୁଲ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ ଥିବାରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

publive-image

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତକାଲି ଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ହେଉଛି । ଆଜି ମଧ୍ୟ ବର୍ଷା ଲାଗି ରହିଛି । ଘଡଘଡି ସହ ପ୍ରବଳ ବର୍ଷା ନେଇ ୨୦ଟି ଜିଲ୍ଲାକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ରାୟଗଡା,କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ପୁରୀ, ଖୋର୍ଦ୍ଦା, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ମୟୂରଭଂଜ, କେନ୍ଦୁଝର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ପଶ୍ଚିମ, ଦକ୍ଷିଣ ଓ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆହୁରି ୨ ଦିନ ଲଘୁଚାପ ଲଗାଣ ବର୍ଷା ଲାଗି ରହିବ । ଅର୍ଥାତ୍ ୨୬ ତାରିଖ ପରେ ବର୍ଷାର ପରିମାଣ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ବର୍ଷା ଜାରି ରହିଛି ।

publive-image

ସେପଟେ ଆନ୍ଧ୍ରପ୍ରଦେଶର ବିଜୟାନଗରମ-ପଲାସା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ବିଳମ୍ବରେ ଚାଲୁଛି । ବିଶାଖାପାଟଣା ସହରର ପାଣି ରେଳଟ୍ରାକକୁ ଆସିଯାଇଛି । ଗତରାତିରେ ସିଗନାଲ ସିଷ୍ଟମ ପ୍ରଭାବିତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ପାଣି କମିବା ପରେ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଛି । ତେବେ ଏବେ ବି ବର୍ଷା ଲାଗିରହିଥିବାରୁ କିଛି ଟ୍ରେନ ବାତିଲ କରାଯାଇଛି । ବିଶାଖାପାଟଣାରୁ ଆସିବାକୁ ଥିବା ଭୁବନେଶ୍ୱର ଇଂଟରସିଟି ଏସପ୍ରେସକୁ ବାତିଲ୍ କରାଯାଇଛି ।