ଧାନ ଚାଲାଣକୁ ରୋକୁଛି ଯୋଗାଣ ବିଭାଗ । ଓଡିଶା-ଛତିଶଗଡ ସୀମାରେ ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ

77

କନକ ବ୍ୟୁରୋ : ରାତିରେ ଧାନ ଚାଲାଣକୁ ରୋକୁଛି ଯୋଗାଣ ବିଭାଗ । ଓଡିଶା ଛତିଶଗଡ ସୀମାରେ ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଯାଂଚ କରୁଛନ୍ତି । ଯିବା ଆସିବା କରୁଥିବା ମାଲବାହୀ ଗାଡିକୁ ରଖି ଛାନଭିନ କରୁଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟର ଧାନ ବିକ୍ରି ଉପରେ ରୋକ ଲଗାଇବା ପରେ ତତ୍ପର ହୋଇଛି ଯୋଗାଣ ବିଭାଗ । ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଦଣ୍ଡଷୋରା ଠାରେ ରାତିରେ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ ।

ସୀମାନ୍ତରେ ଯୋଗାଣ ବିଭାଗର ପହରା । ରାତି ଅନିଦ୍ରା ରହି ସୀମା ଜଗୁଛନ୍ତି ପ୍ରଶାସନିକ ଅଧିକାରୀ । ଓଡିଶା-ଛତିଶଗଡ ସୀମା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।

ନବରଙ୍ଗପୁର ଜିଲ୍ଲାରେ ଡିସେମ୍ବର ୧ ତାରିଖରୁ ଧାନ ମଣ୍ଡି ଖୋଲିବ । ମଣ୍ଡି ଖୋଲିବା ଆଗରୁ କାଳେ ରାଜ୍ୟ ବାହାରୁ ବିକ୍ରି ପାଇଁ ଜିଲ୍ଲାକୁ ଧାନ ଆସିବ, କିମ୍ବା ରାଜ୍ୟ ବାହାରକୁ ବିକ୍ରି ପାଇଁ ଯିବ । ତାହାକୁ ରୋକିବା ପାଇଁ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ ।

ଛତିଶଗଡରେ କ୍ୱିଂଟାଲ ପିଛା ଧାନ ଦର ୨୫ ଶହ ଟଙ୍କା ରହିଥିବା ବେଳେ ଓଡିଶାରେ ଧାନ କ୍ୱିଂଟାଲ ୧୮ଶହ ୬୮ ଟଙ୍କା ରହିଛି । ଓଡିଶା ଠାରୁ ଛତିଶଗଡରେ ଧାନ କ୍ୱିଂଟାଲ ୭ଶହ ଟଙ୍କା ଅଧିକ ଥିବାରୁ ଛତିଶଗଡର ବେପାରୀ ଲାଭ ଉଠାଇବାକୁ ସୁଯୋଗ ଖୋଜୁଛନ୍ତି । ଏବେ ଯୋଗାଣ ବିଭାଗ ସୀମାରେ ଧାନ ଧରପଗଡ କରୁଥିବାରୁ ଧାନ ବେପାରୀଙ୍କ ମନରେ ଛନକା ପଶିଛି ।