କନକ ବ୍ୟୁରୋ : ଭୋଟ୍ ପୂର୍ବରୁ ପ୍ରାର୍ଥୀଙ୍କ ଟଙ୍କା ବଣ୍ଟା । ଅର୍ଥ, ମଦ ଦେଇ ଭୋଟ୍ କିଣିବା ଭିଡିଓ ଭାଇରାଲ । ବେକରେ ଫୁଲ ମାଳ, ହାତରେ ନୋଟ ବିଡା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟଙ୍କା ବିଡା ଧରି ଭୋଟରଙ୍କ ଘରେ ପହଞ୍ଚିଯାଇଛନ୍ତି ପ୍ରାର୍ଥୀ । ଆଉ ତାଙ୍କୁ ଘେରି ରହିଛନ୍ତି, ପାଖ ଆଖ ଘରର ଭୋଟର । ଲୋକଙ୍କୁ ଦେଖାଇ ଟଙ୍କା ଗଣିବା ପରେ ଟଙ୍କା ଦେଇ ନିର୍ଦ୍ଧିଷ୍ଟ ଚିହ୍ନରେ ଭୋଟ ଦେବାକୁ ସେ ବାଧ୍ୟ କରୁଛନ୍ତି । ଟଙ୍କା ଦେଇ ଆଉ କଣ ଦରକାର କି ବୋଲି ପ୍ରାର୍ଥୀ ପଚାରୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତର ବୋଲି କୁହାଯାଉଛି ।
ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ । ଅସାଧୁ ପ୍ରାର୍ଥୀ ଏବେ ନୋଟ୍ ବର୍ଷା କରି ଭୋଟ କିଣୁଛନ୍ତି । ଆଉ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତାଙ୍କ ଦ୍ୱାରା ଜନ-ପ୍ରତିନିଧି ବାଛିବାର ମୌଳିକ ପରମ୍ପରା ଏବେ କିଣାବିକାର କାରବାର ପାଲଟିଯାଇଛି ।
ଭୋଟ ଗ୍ରହଣ ପାଖେଇ ଆସିବା ପରେ ନେତା ଏବେ ନୋଟ୍ ବର୍ଷା କରୁଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କୁସରାଲୋଇ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦମୟନ୍ତୀ ସା ଘରକୁ ଘର ବୁଲି ଟଙ୍କା ବାଣ୍ଟୁଛନ୍ତି । ସାଙ୍ଗରେ ସମର୍ଥକଙ୍କୁ ଧରି ଘର ଘର ବୁଲି ଭୋଟରଙ୍କୁ ଟଙ୍କା ଦେଇ ନିଜ ପାଇଁ ଭୋଟ୍ ଯୋଗାଡ କରୁଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଭୋଟ କିଣିବାକୁ ଯାଇ ହରଡଘଣାରେ ଯୁବକ । କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ଝାରସୁଗୁଡ଼ା ଲଖନପୁର ଜୋନ-୧ରେ ଟଙ୍କା ବାଣ୍ଟି ଭୋଟ କିଣିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଧରି ଉତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । କଣ୍ଡେଇକେଲା ଗାଁରେ ଜଣେ ଯୁବକ ଟଙ୍କା ବାଣ୍ଟୁଥିବା ଦେଖି ତାତି ଉଠିଥିଲେ ଗ୍ରାମବାସୀ । ଯୁବକଙ୍କୁ କାବୁ କରି ମାଡ ମାରି ପୁଲିସରେ ଜିମା ଦେଇଛନ୍ତି ।
ନିର୍ବାଚନ ପୂର୍ବରୁ ମଦର ବନ୍ୟା । ତିନି ପ୍ରାର୍ଥୀଙ୍କୁ ଗିରଫ କଲା ପୁଲିସ । ନିର୍ବାଚନ ବେଳେ ମଦ ଓ ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା । ଟଙ୍କା ଓ ମଦ ନେଇ ଖୋର୍ଦ୍ଧା ଜିଲ୍ଲା ମୟୂରଖାଲିଆ ପଞ୍ଚାୟତରେ ପହଞ୍ଚିଥିଲେ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ । ଲୋକଙ୍କୁ ଟଙ୍କା ଓ ମଦ ବାଣ୍ଟିବା ପୂର୍ବରୁ ସ୍ଥାନୀୟ ଲୋକେ ଏମାନଙ୍କୁ କାବୁ କରିନେଇଥିଲେ । ଖବର ପାଇ ଚାନ୍ଦପୁର ଥାନା ପୋଲିସ, ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗିରଫ କରିଛି । ସେପଟେ ନବରଙ୍ଗପୁରରେ ଭୋଟରଙ୍କୁ ବାଣ୍ଟିବା ପାଇଁ ଆସିଥିବା ମଦ ଆଡ୍ଡା ଉପରେ ଚଢାଉ କରିଛି ଅବକାରୀ ସ୍କ୍ୱାର୍ଡ । ତୋଟାସାହି ଅଞ୍ଚଳର ଜଣେ ମହିଳାଙ୍କ ଘରୁ ବିପୁଳ ପରିମାଣର ବିଦେଶ ମଦ ଜବତ ହୋଇଛି ।