ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ କ’ଣ ରହିଛି କରୋନା ସ୍ଥିତି? ମ୍ୟାପ ଜରିଆରେ ଜାଣନ୍ତୁ ରାଜଧାନୀର କରୋନା ରିପୋର୍ଟ…

5,802

କନକ ବ୍ୟୁରୋ: ରାଜଧାନୀରେ ବର୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେଉଁ ଅଂଚଳରେ ସେମାନଙ୍କ ସ୍ଥିତି ନେଇ ଏକ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର । ବମିଖାଲରେ ୧୮ ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ସେହିପରି ଝାରପଡାରେ ଚିହ୍ନଟ ୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ବିଜେବି ନଗର ଓ ବଡଗଡ ଗାଁରେ ଚିହ୍ନଟ ହୋଇଥିବା ଜଣେ ଜଣେ ଆକ୍ରାନ୍ତ ଏବେ ସୁସ୍ଥ ହୋଇ ସାରିଛନ୍ତି ।

ସେହିଭଳି କପିଳ ପ୍ରସାଦ ଅଂଚଳରୁ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତି ଏବେ ବି ଅସୁସ୍ଥ ଅଛନ୍ତି । ସୂର୍ଯ୍ୟନଗର ଅଂଚଳର ୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି ସରକାର ସୂଚନା ଦେଇଛନ୍ତି । ୟୁନିଟ-୫ ଅଂଚଳର ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । କିନ୍ତୁ ୟୁନିଟ୍-୪ ଅଂଚଳର ସମସ୍ତ ୩ କରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧିନ ରହିଛନ୍ତି । ସତ୍ୟନଗରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ସହିଦନଗର ଅଂଚଳର ଜଣେ ଆକ୍ରାନ୍ତ ଏବେ ବି ଅସୁସ୍ଥ ଅଛନ୍ତି । ଜିମ୍ଖାନା ପାମ୍ ହାଇଟ୍ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ବର୍ତମାନ ସୁଦ୍ଧା ଭୁବନେଶ୍ୱରରୁ ମୋଟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟପଟେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ ଜଣ ଏବେ ବି ଚିକିତ୍ସାଧିନ ରହିଛନ୍ତି । ଏହା ଛଡା ଜଣେ ବ୍ୟକ୍ତି ପଶ୍ଚିମ ବଙ୍ଗରୁ ଆସିଥିବା ବେଳେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ।