ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜାଣନ୍ତୁ ରଥଯାତ୍ରା ପାଇଁ କେଉଁ ପୋଲିସ ଅଧିକାରୀଙ୍କୁ ମିଳିଲା କେଉଁ ଦାୟିତ୍ୱ ।

201

କନକ ବ୍ୟୁରୋ : ଆଗାମୀ ଜୁଲାଇ ମାସ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବିଶେଷ କରି ବାତ୍ୟା ‘ଫୋନି’ ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରି ଚାଲିଯିବା ପରେ ରଥଯାତ୍ରା ଏବେ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଆଉ ଏହାରି ଭିତରେ ରଥଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଥିବା ବେଳେ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ରଥଯାତ୍ରା କର୍ତ୍ତବ୍ୟ ବଣ୍ଟନ କରାଯାଇଛି ।

ରେଳବାଇ ଓ ଉପକୂଳ ସୁରକ୍ଷା ଦାୟିତ୍ୱ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ସାଧାରଣ ପୋଲିସ ବ୍ୟବସ୍ଥା ଦାୟିତ୍ୱ ଆଇନ୍ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜିବ ପଣ୍ଡାଙ୍କୁ ଦିଆଯାଇଛି । ସୁରକ୍ଷା ଓ ସ୍ୱତନ୍ତ୍ର ବ୍ୟବସ୍ଥା ଦାୟିତ୍ୱ ଗୁଇନ୍ଦା ବିଭାଗ ଆଇଜି ଆର.କେ ଶର୍ମାଙ୍କୁ ଦିଆଯାଇଛି ।

ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ, ରାଜ୍ୟ ସଶସ୍ତ୍ର ବାହିନୀ ପୋଲିସ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଛି । ସେହିପରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି । ଭିଡ ନିୟନ୍ତ୍ରଣ ଦାୟିତ୍ୱ ମୁଖ୍ୟାଳୟ ପୋଲିସ ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କୁ ଦିଆଯାଇଛି । ସେହିପରି କର୍ଡନ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି ।

ରଥଯାତ୍ରା ସମୟରେ ଯୋଗାଯୋଗ ବ୍ୟବସ୍ଥା ଦାୟିତ୍ୱ ସିଗନାଲ୍ ଏସପି ବି.ଏନ୍ ଦାସଙ୍କୁ ଦିଆଯାଇଛି । ସେହିପରି ଭିଆଇପି ସୁରକ୍ଷା ଦାୟିତ୍ୱ ଓଡିଶା ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ଆର.କେ ସାହୁଙ୍କୁ ଦିଆଯାଇଛି । କ୍ୟାମ୍ପ କମାଣ୍ଡାଣ୍ଟ ଦାୟିତ୍ୱ ବି.ଏନ ନନ୍ଦଙ୍କୁ ଦିଆଯାଇଛି । ସେହିପରି ରଥଯାତ୍ରା ସମୟରେ ନିୟନ୍ତ୍ରଣ କକ୍ଷ ଦାୟିତ୍ୱ ନିର୍ବାହ କରିବେ କଟକ ଆଡିସନାଲ ଏସପି ଏ.ସି ପହି । ରଥଯାତ୍ରା ସମୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।