ପାର୍ବଣରେ ସାତ ଜଣ, ପ୍ରଚାରରେ ହଜାରେ । ପୂଜା ଗାଇଡଲାଇନ ନେଇ ଟୁଇନସିଟିରେ ତେଜୁଛି ଅସନ୍ତୋଷ ।

135

କନକ ବ୍ୟୁରୋ: ପାର୍ବଣରେ ସାତ, ନିର୍ବାଚନ ପ୍ରଚାରରେ ହଜାରେ । ସରକାରଙ୍କ ଅଜବ ନିୟମକୁ ନେଇ ସବୁଠି ଚର୍ଚ୍ଚା । ପାର୍ବଣର କଟକଣାକୁ ନେଇ ତେଜିଲାଣି ବିଦ୍ରୋହ ।  କଟକରୁ ଭୁବନେଶ୍ୱର ସବୁଠି ଶୁଭିଲାଣି ବିରୋଧର ସ୍ୱର ।  ବର୍ଷାରେ ଭିଜି ରାସ୍ତାରେ ଆଣ୍ଠେଇ ନିଆରା ପ୍ରତିବାଦ କରିଛନ୍ତି କଟକବାସୀ । ସେପଟେ ସରକାରୀ କଟକଣା ବିରୋଧ କରିବାକୁ ମଧ୍ୟ ସଜବାଜ ହେଲେଣି ଭୁବନେଶ୍ୱର ପୂଜା କମିଟି ।

୪ ଫୁଟର ମୂର୍ତ୍ତି ଓ ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରିବା ବିରୋଧରେ କଟକରୁ ଭୁବନେଶ୍ୱର ସବୁଠି ତେଜୁଛି ଅସନ୍ତୋଷ । କଟକରେ ବର୍ଷାରେ ଭିଜି ପ୍ରତିବାଦ କରିବା ସହ ବିକ୍ଷୋଭକାରୀ କହିଛନ୍ତି, ସରକାର ସବୁ କ୍ଷେତ୍ରରେ କଟକଣା କୋହଳ କରିଥିବା ବେଳେ ପାର୍ବଣ ପାଇଁ କାହିଁକି ଏତେ କଟକଣା ରଖାଯାଇଛି  । ଖାଲି ସେତିକି ନୁହେଁ, ପାର୍ବଣ କଟକଣାକୁ ବିରୋଧ କରି ବିଜେପି ପକ୍ଷରୁ ମଧ୍ୟ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟପଟେ ପାର୍ବଣ କଟକଣା ବିରୋଧରେ କଟକ ପରେ ରାଜଧାନୀରେ ବି ତେଜିଲାଣି ସ୍ୱର । ଆଗକୁ କଟକଣାରେ ପରିବର୍ତ୍ତନ ହେବ ବୋଲି ଅନେକ ପୂଜା କମିଟି ଅପେକ୍ଷା କରିଥିବାବେଳେ କେତେକ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ସିନେମା ହଲ, ମଲରେ ୫ ଶହରୁ ହଜାରେ ଲୋକଙ୍କ ପାଇଁ ଅନୁମତି ଦିଆଯାଇଛି । ଆଗାମୀ ନିର୍ବାଚନୀ ସଭାରେ ହଜାରେ ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି । କିନ୍ତୁ ପୂଜାରେ ୭ଜଣ  ସାମିଲ ହେବା, ୪ଫୁଟର ମୂର୍ତ୍ତି ତିଆରି କରିବା ନିୟମକୁ ନେଇ ତେଜୁଛି ଅସନ୍ତୋଷ ।