କନକ ବ୍ୟୁରୋ: ଶୋଚନୀୟ ପରାଜୟ ପାଇଁ ବିଜେଡି କାରଣ ଖୋଜୁଛି । ଏହାରି ଭିତରେ କୁହାଯାଉଛି, ଭୋଟବେଳେ ବିଜେଡିର ମଙ୍ଗ ଧରିଥିବା ଭି.କେ.ପାଣ୍ଡିଆନକୁ ନେଇ ଦଳରେ ଅସନ୍ତୋଷ ବଢୁଛି । ଯଦିଓପି ସେ ରାଜନୀତିକୁ ସନ୍ୟାସ ନେଇଛନ୍ତି । ତଥାପି ସେ ନବୀନ ନିବାସ ଆସୁଛନ୍ତି । ଆଉ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା ।

Advertisment

ନିର୍ବାଚନରେ ବିଜେଡିର ପରାଜୟ ପରେ ଭି.କେ.ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି । ତଥାପି ସେ ପ୍ରତିଦିନ ନବୀନ ନିବାସ ଆସୁଛନ୍ତି । ଏହି ଖବର ସାମନାକୁ ଆସିବା ପରେ, ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି ବିଜେଡି ନେତା । ସାମନାକୁ ଆସି ସିଧାସଳଖ ବିରୋଧ କରୁନଥିଲେ ବି ବୁଲେଇ ବଙ୍କେଇ ତେରେଛା ବାଣ ମାରୁଛନ୍ତି । ବିଜେଡିର ପରାଜୟ ପାଇଁ ଏକାଧିକ କାରଣ ଦର୍ଶାଇବା ସହ ପାଣ୍ଡିଆନଙ୍କ ଆଡକୁ ପରୋକ୍ଷରେ ଇସାରା କରୁଛନ୍ତି ।

ବିଜେଡି ନେତାଙ୍କ ଭିତରେ କୁହୁଳି ଥିବା ଅସନ୍ତୋଷ ଆଗକୁ ବଡ ଧରଣର ବିଦ୍ରୋହ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏବେ ବି ପାଣ୍ଡିଆନଙ୍କ ଭୟରେ ବିଜେଡିର ବଡ ନେତା ସିଧାସଳଖ କିଛି କହୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରିକି ଯେଉଁ ମୁଖପାତ୍ର ଛୋଟ ଛୋଟ କଥା ପାଇଁ ସାମ୍ବାଦିକ ସମ୍ମିଳନୀ କରି, ମନ ଇଛା ବର୍ଷିଥାନ୍ତି, ସେମାନଙ୍କ ଦେଖା ମିଳୁନାହିଁ । ବିଜେଡି ନେତାଙ୍କ ଏଭଳି ଆଚରଣକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ରାଜନୀତି ସମୀକ୍ଷକ ।

କେବଳ ରାଜନୀତି ସମୀକ୍ଷକ ନୁହଁନ୍ତି, ବିଜେଡିର ପରାଜୟ ପାଇଁ, ଦଳର ବଡ ନେତା ଚୁପ ରହିବାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । ୨୪ବର୍ଷ ଭିତରେ ବିଜେଡି ପ୍ରଥମ ଥର ପାଇଁ ଏତେ ବଡ ବିପର୍ଯ୍ୟୟର ସାମନା କରିଛି । ଆଉ ଏଥିପାଇଁ ଭି.କେ. ପାଣ୍ଡିଆନଙ୍କୁ ଦାୟୀ କରାଯାଉଛି ।