କନକ ବ୍ୟୁରୋ: ଗାଁ ଗାଁରେ ତେଜିବାରେ ଲାଗିଛି ଘର କଳି । ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ତେଜିବାରେ ଲାଗିଛି ଅସନ୍ତୋଷ । ଯେଉଁମାନେ ବର୍ଷ ବର୍ଷ ଧରି ଆବାସ ଯୋଜନାରେ ଘର ପାଇବକୁ ଅନାଇ ରହିଛନ୍ତି, ଚାଳ ଛପର, ଭଙ୍ଗା ଦଦରା ଘରେ, ପଲିଥିନ୍ ଟାଣି ରହୁଛନ୍ତି, ନାଁ ତାଲିକାରେ ନଥିବା ଦେଖି ସେମାନେ ଚିହିଁକି ଉଠିଛନ୍ତି । ଯାହାକୁ ନେଇ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ପ୍ରତିବାଦର ଚିତ୍ର ।

Advertisment
  • ବଡମ୍ବାରେ ଜାତୀୟ ରାଜପଥ ଅବରୋଧ
  • ହାଟଡିହିରେ ପଞ୍ଚାୟତ ଘେରାଉ
  • ପୋଷ୍ଟର ମାରି କଣାସରେ ପ୍ରତିବାଦ
  • ମହାକାଳପଡାରେ ପିଓ ଅଟକ

ଆବାସ ଘର ପାଇଁ ପ୍ରକାଶ ପାଇଥିବା ହିତାଧିକାରୀଙ୍କ ତାଲିକାକୁ ନେଇ ଲୋକଙ୍କ ଭିତରେ କେମିତି ଅସନ୍ତୋଷ ସୃଷ୍ଟି ହେଉଛି ଏସବୁ ହେଉଛି ତାର ଗୋଟିଏ ଗୋଟିଏ ନମୁନା । ଉପକୂଳରୁ ଉପାନ୍ତ ସବୁଠି ସମ୍ଭାବ୍ୟ ତାଲିକାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଯେଉଁମାନେ ଘର ପାଇବାକୁ ଯୋଗ୍ୟ , ବର୍ଷ ବର୍ଷ ଧରି ଭଙ୍ଗା ଦଦରା ଘରେ ରହୁଛନ୍ତି, ପଲିଥିନ ତଳେ ଦିନ କାଟୁଛନ୍ତି, ସେମାନଙ୍କ ନାଁ ସମ୍ଭାବ୍ୟ ତାଲିକାରେ ନଥିବାରୁ ରାସ୍ତାକୁ ଓହ୍ଲାଇଛ ପ୍ରତିବାଦ ଜଣାଇଛନ୍ତି । ଜାତୀୟ ରାଜପଥ ଉପରେ ବସି ତାଲିକାରେ ନାଁକୁ ସାମିଲ କରିବାକୁ ଦାବି କରିଛନ୍ତି ।

ସେହିପରି କେନ୍ଦୁଝର ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ପ୍ରକାଶ ପାଇଥିବା ତାଲିକାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି ପଞ୍ଚାୟତର ବିଭିନ୍ନ ଗାଁର ଲୋକେ । ପ୍ରକାଶ ପାଇଥିବା ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରହିଥିବାବେଳେ ଯୋଗ୍ୟ ହିିତାଧିକାରୀଙ୍କ ନାଁ ନଥିବା ଅଭିଯୋଗ କରିଛନ୍ତି । ଏପରିକି ତାଲିକାରେ ନାବାଳକ ନାଁ ରହିଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପଞ୍ଚାୟତ ଅଧିକାରୀ ।

ତାଲିକା ନାଁ ନଥିବା ଦେଖି ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତର ଲୋକେ । ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । । ପୋଷ୍ଟରରେ ଲେଖିଛନ୍ତି ସେମାନେ ଯଦି ପ୍ରକୃତ ଅଯୋଗ୍ୟ ହିତାଧିକାରୀ ତାହେଲେ ତାଙ୍କୁ ଜେଲ ନିଅନ୍ତୁ । ଥରୁଟିଏ ଉଚିତ୍ ତଦନ୍ତ କରନ୍ତୁ । ଭଙ୍ଗା ଘରକୁ ଟିକିଏ ଅନାନ୍ତୁ । ତଦନ୍ତ ନକଲେ ଭୋଟ୍ ପୂର୍ବରୁ ନେତା, ମନ୍ତ୍ରୀ ଓ ଅଧିକାରୀଙ୍କୁ ତାଙ୍କ ଦୁଆର ମନା ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଡକୂଳ ପଞ୍ଚାୟତରେ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ପଞ୍ଚାୟତ ଅଧିକାରୀଙ୍କୁ ଘେରି ଜବାବ ମାଗିଛନ୍ତି ତାଲିକାରେ ନାଁ ନଥିବା ଘର ଆଶାୟୀ । ତେବେ ଗାଁ ଗାଁରୁ ଯେଉଁଭଳି ଘର କଳିର ଚିତ୍ର ଆସୁଛି ଆଗାମୀ ଦିନରେ ଏହା ଆହୁରି ଉଗ୍ରରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି ।