ପରାଜୟ ପରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ବିବାଦ ଆରମ୍ଭ ହୋଇଛି : ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ମହାଗଠବନ୍ଧନର ପରାଜୟ ପାଇଁ କଂଗ୍ରେସକୁ କଲେ ଦାୟୀ

297

କନକ ବ୍ୟୁରୋ : ପରାଜୟ ପରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ମହାଗଠବନ୍ଧନର ପରାଜୟ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ରାହୁଲଙ୍କ କାର୍ଯ୍ୟଶୈଳୀ ବିଜେପିକୁ ସୁହାଉଛି । କଂଗ୍ରେସ ୭୦ ଆସନରେ ଲଢିଥିଲେ ବି ୭୦ ରାଲି ବି କରିପାରିଲାନି । ରାହୁଲ ଗାନ୍ଧି ମାତ୍ର ୩ ଦିନ ପାଇଁ ପ୍ରଚାର କଲେ, କିନ୍ତୁ ପ୍ରିୟଙ୍କା ଗାନ୍ଧି ଆସିଲେ ନାହିିଁ ବିହାରର ରାଜନୈତିକ ମାହୋଲ ଗରମ ଥିବାବେଳେ ରାହୁଲ ଗାନ୍ଧି ପ୍ରିୟଙ୍କା ଗାନ୍ଧିଙ୍କ ସିମଳାସ୍ଥିତ ଘରେ ପିକନିକ କରୁଥିଲେ ।

ସେପଟେ ଆଜି ବିହାରରେ ସପ୍ତମ ଥର ଲାଗି ଶପଥ ଗ୍ରହଣ କରିବେ ନୀତିଶ କୁମାର । ଆଜି ଅପରାହ୍ନ ୪ଟା ୩୦ ମିନିଟରେ ନୀତିଶ ନେବେ ଶପଥ । ଲଗାତାର ଚତୁର୍ଥ ଏବଂ ରାଜନୈତିକ କ୍ୟାରିୟରରେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କ ନାଁରେ ମୋହର ବାଜିଛି । ତେବେ ସବୁଠାରୁ ବଡ କଥା ହେଉଛି ୟୁପି ଫର୍ମୁଲାରେ ବିହାର ପାଇବାକୁ ଯାଉଛି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ । ମେଂଟ ସରକାରର ଅନ୍ୟତମ କୁଶଳ ବିନ୍ଧାଣୀ ସୁଶୀଲ କୁମାର ମୋଦୀଙ୍କୁ ବାଦ୍ ଦେଇ ଦୁଇ ନୂଆ ଚେହେରାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବାକୁ ଯାଉଛି ଏନଡିଏ । ନୀତୀଶ ସରକାରରେ ବିଜେପିର ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସଂଭାବନା ରହିଛି ।