କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍ । ସାମ୍ନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ବିକଳ ଚିତ୍ର

269

କନକ ବ୍ୟୁରୋ: କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍ । ସାମ୍ନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ବିକଳ ସ୍ଥିତି । ଅପରିଣାମଦର୍ଶୀ ନିଷ୍ପତି ନେଇ ଅତ୍ୟନ୍ତ ତରବରିଆ ଭାବେ କଟକ ନେତାଜୀ ବସ୍ ଟର୍ମିନାଲକୁ ଲୋକାପର୍ଣ କରି ବାହାଦୁରି ନେବାର ଉଦ୍ୟମ ଫସର ଫାଟିଛି ।

ପୂର୍ବ ଘୋଷଣା ଅନୁଯାୟୀ ସୋମବାର ସିଏନବିଟିର ଖାନନଗର ରାସ୍ତାରେ ବସ୍ ଚାଲିପାରିନାହିଁ । ଜାତୀୟସ୍ତରର ବସ୍ ଟର୍ମିନାଲ ସିଏନବିଟି ରୌପ୍ୟନଗରୀ ରୂପାନ୍ତରଣର ନୂଆ ଅଧ୍ୟାୟ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଗତ ୧୬ ତାରିଖରେ ବହୁ ଆଡମ୍ବରରେ ଏହାର ଉଦଘାଟନ ଉଦଘାଟନ । ହେଲେ ଉଦଘାଟନକୁ ମାତ୍ର ୨ ଦିନ ବିତିନି, ବ୍ୟବସ୍ଥାର ଦୁର୍ବଳ ଚିତ୍ର ପଦାରେ ପଡିଛି । ବସ୍ ଷ୍ଟାଣ୍ଡରେ କେଉଁଠି ପାଣି ନାହିଁ ତ, କେଉଁଠି ନବନିର୍ମିତ ବ୍ଲକ ବିପର୍ଯ୍ୟସ୍ତ ହୋଇପଡିଛି । ଦୋକାନ ନଥିବାରୁ ଯାତ୍ରୀଙ୍କ ପାଇଁ ଚା’ ବିସ୍କୁଟ ପାଣି କିଣିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ବି ନାହିଁ । ସେପଟେ ଭିତିଭୂମି ପ୍ରସ୍ତୁତ ହୋଇନଥିବା ବେଳେ କାହିଁକି ଏଭଳି ତରବରିଆ ଢଙ୍ଗରେ ସିଏନବିଟିକୁ ଉଦଘାଟନ କରାଗଲା, ସେନେଇ ପ୍ରଶ୍ନ ଉଠିଛି । ପ୍ରଥମ ଦିନରେ ଖାନନଗର ରାସ୍ତା ଦେଇ ଟର୍ମିନାଲରୁ ୫ଶହରୁ ଅଧିକ ବସ୍ ଯିବାର ଥିବା ବେଳେ ଏହାକୁ ଶେଷ ସମୟରେ ବନ୍ଦ କରିଛି ପ୍ରଶାସନ । ଫଳରେ ସମସ୍ତ ବସ୍ ବାଦାମବାଡି ଟ୍ରାଫିକ ଛକ ଦେଇ ଲିଙ୍କ ରୋଡ ଯିବା କାରଣରୁ ଅତ୍ୟଧିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ବସ ପଛକୁ ପଛ ଲମ୍ବା ଧାଡିରେ ଅଟକି ରହି ରାସ୍ତା ଜାମ୍ କରିଥିଲେ । ଯାହା ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।