ଟିକେଟ୍ ଘୋଷଣା ପରେ ବଢୁଛି କନ୍ଦଳ । କୋରାପୁଟ ବିଜେପି ବିଧାୟକ ପ୍ରାର୍ଥୀ ଓ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତିଙ୍କ ଭିତରେ ଧସ୍ତାଧସ୍ତି ।

152

କନକ ବ୍ୟୁରୋ: କୋରାପୁଟ ବିଜେପି ବିଧାୟକ ପ୍ରାର୍ଥୀ ଓ ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତିଙ୍କ ଧସ୍ତାଧସ୍ତି ଖବରକୁ ନେଇ ଚର୍ଚ୍ଚା ବଢିଛି । ଟିକେଟ ଘୋଷଣା ପରେ କୋରାପୁଟ ସହରର ରାଉଳ ଶିବ ମନ୍ଦିର ନିକଟରେ ସଂସଦୀୟ ଓ ବିଧାୟକ ପ୍ରାର୍ଥୀଙ୍କ ନିମନ୍ତେ କର୍ମକର୍ତ୍ତାମାନେ ଏକ ସମ୍ବର୍ଦ୍ଧନା ସଭା ରଖିଥିଲେ । ସେହି ସଭାରେ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ ଓ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଜେ.ଭାଗିରଥି ପାଟ୍ଟନିଆ ଧସ୍ତାଧସ୍ତି ହୋଇଥିଲେ । ଯାହା ଉପସ୍ଥିତ ଦଳୀୟ କର୍ମୀ ଓ ନେତାଙ୍କୁ ଆଶ୍ଚର୍ଯ୍ୟ କରିଛି । ପରେ ସଭାକୁ ଆସିଥିବା ବିଜେପି ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ହସ୍ତକ୍ଷେପ କରି ପାଟ୍ଟନିଆଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । କୋରାପୁଟ ବିଧାନସଭା ପାଇଁ ଅନେକ ଆଶାୟୀଙ୍କ ଭିତରୁ ଶ୍ରୀ ପାଟ୍ଟନିଆ ଓ ରଘୁରାମ ମାଛ ମଧ୍ୟ ଆଶାୟୀ ଥିଲେ । ଦଳ ରଘୁରାମ ମାଛଙ୍କୁ ଟିକେଟ ଦେବାରୁ ପାଟ୍ଟନିଆ ହତୋତ୍ସାହ ହୋଇ ସଭାରେ ଗଣ୍ଡଗୋଳ କରିଥିବା କୁହାଯାଉଛି । ତେବେ ସଭାରେ ଏପରି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।