ଦେଶରେ କୋଇଲା ଅଭାବ । ଦାୟୀ କିଏ?

158

କନକ ବ୍ୟୁରୋ: ଦେଶରେ ବିଜୁଳି ଉତ୍ପାଦନ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ କିଏ ଦାୟୀ ? ରାଜ୍ୟ ସରକାରଗୁଡିକ ଏଥିପାଇଁ କେନ୍ଦ୍ରକୁ ଦାୟୀ କରୁଛନ୍ତି । ଏହାରି ଭତିରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୋଇଲା ଗଚ୍ଛିତ ରଖିବାକୁ ଫେବୃଆରୀରେ କେନ୍ଦ୍ର କୋଇଲା ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖଥିଲେ । ଆଉ ଏହାକୁ ରାଜ୍ୟ ସରକାର ଏବଂ ଘରୋଇ ଖଣି କମ୍ପାନୀ ମାନେ ଅଣଦେଖା କରିଥିବା ଜଣାପଡିଛି ।

 

ଚିଠିରେ କେନ୍ଦ୍ର କୋଇଲା ସଚିବ କହିଥିଲେ, ମୌସୁମୀ ବେଳେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇପାରେ । ତେଣୁ ଅଧିକ ପରିମାଣରେ କୋଇଲା ମହଜୁଦ ସହ କୋଇଲା ଭଣ୍ଡାରର କ୍ଷମତା ବଢାଯାଉ । ଆଉ ଏକ କୋଇଲା ଭଣ୍ଡାର ଖୋଲିବାକୁ କେନ୍ଦ୍ର ପରାମର୍ଶ ଦେଇଥିଲା । ଦେଶରେ କୋଇଲା ସଂକଟ ପାଇଁ ଏବେ ବିଜୁଳି ଉତ୍ପାଦନ କ୍ଷମତା ୧୧ ଗିଗାୱାଟରୁ ଖସିି ୬ ଗିଗାୱାଟ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୫ରେ ଘରୋଇ ବିଦ୍ୟୁତ ଉତ୍ପାଦନ କମ୍ପାନୀ ମାନଙ୍କୁ ଆବଂଟନ ଅନୁସାରେ କୋଇଲା ଉତ୍ତୋଳନ କରିବାକୁ କହିଥିଲା କେନ୍ଦ୍ର । ଏହା ପରେ ବାରମ୍ବାର ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟର ଅଧିକାରୀଙ୍କୁ କୋଇଲା ସଚିବ ବାରମ୍ବାର ଚିଠି ଲେଖିଥିଲେ । ଏଥିରେ କୁହାଯାଇଥିଲା ଯେ, ବିଦ୍ୟୁତ ଚାହିଦା ବଢୁଥିବାରୁ ଓ ଆଗକୁ ବର୍ଷା ଆସୁଥିବାରୁ କୋଇଲା ମହଜୁଦ ପ୍ରତି ଧ୍ୟାନଦେବା ଜରୁରୀ । କିନ୍ତୁ ରାଜ୍ୟଗୁଡିକ ଓ ବିଭିନ୍ନ କମ୍ପାନୀ ଏଥିପ୍ରତି ଧ୍ୟାନଦେଇନଥିବା ଜଣାଯାଇଛି ।