କରୋନା ଟିକା କୋଭାକ୍ସିନକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କେମିତି ମିଳିଲା ମଞ୍ଜୁରୀ । ଶଶିଙ୍କ ଅଭିଯୋଗକୁ ଜୟରାମ ରମେଶଙ୍କ ସମର୍ଥନ

115

କନକ ବ୍ୟୁରୋ : ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଖୁସି ଭରିଯାଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଓ ଜୟରାମ ରମେଶ ଅଭିଯୋଗ କରିଛନ୍ତି କି ଆନ୍ତରାଷ୍ଟ୍ରୀୟ ସୂଚକାଙ୍କକୁ ଆଧାର କରି ଏହି ଭ୍ୟାକସିନକୁ ଅନୁମତି ଦିଆଯାଇଛି । ହେଲେ ଏହା ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିବ ।

ଏନେଇ ସେ ଏକ ଟ୍ୱିଟ୍ ରେ ଲେଖିଛନ୍ତି କି, କୋଭାକ୍ସିନ ଭ୍ୟାକ୍ସିନ ଏପର୍ଯ୍ୟନ୍ତ ତା’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିନାହିଁ । ତେଣୁ ଏହା ବ୍ୟବହାର ଉପଯୋଗୀ ହୋଇନାହିଁ । ଏହାକୁ ବ୍ୟବହାର କଲେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇପାରେ ବୋଲି ସେ ଲେଖିଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଏହି ଭ୍ୟାକସିନର ଶେଷ ପର୍ଯ୍ୟାୟ ପରୀକ୍ଷଣ ହୋଇନାହିଁ ତାହାକୁ ବ୍ୟବହାର କରିବାକୁ ଅନୁମତି ନଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଯେ ପର୍ଯ୍ୟନ୍ତ କୋଭାକ୍ସିନର ପରୀକ୍ଷଣ ସରି ନାହିଁ ସେତେବେଳ ଯାଏ ଏଷ୍ଟ୍ରାଜେନେକା ଭ୍ୟାକସିନ ବ୍ୟବହାର କରାଯାଉ ବୋଲି ସେ କହିଛନ୍ତି ।


ଶଶି ଥରୁରଙ୍କ ବ୍ୟତିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବି କୋଭାକସିନକୁ ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଏକ ଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି କି ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରିବା ନେଇ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାର ଏପର୍ଯ୍ୟନ୍ତ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ହୋଇପାରିନାହିଁ। ହେଲେ ଆର୍ନ୍ତରାଷ୍ଟ୍ରୀୟ ପୋଟକଲକୁ ବଦଳାଇ ଭାରତ ସରକାର ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଦେଲେ । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।