ଗୋଟିଏ ଗାଁର ଦୁଇଟି ନାଁ । ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ୩୮ ବର୍ଷ ହେଲା ସମସ୍ୟା ଭୋଗୁଛନ୍ତି ବିସ୍ଥାପିତ । ଘର ଡିହ ଜମି ପଟାରେ ଗାଁର ନାଁ ନାରାୟଣଚନ୍ଦ୍ରପୁର । ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ରରେ ଅର୍ଜୁନଝରି । 

114

କନକ ବ୍ୟୁରୋ : ଗୋଟିଏ ଗାଁର ଦୁଇଟି ନାଁ । ରେଙ୍ଗଳା ଜଳଭଣ୍ଡାର ପାଇଁ ଭିଟାମାଟି ଛାଡି ହଟହଟା ହେଉଛନ୍ତି ବିସ୍ଥାପିତ । ଡ୍ୟାମ ଯୋଗୁଁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରିଥିଲା ପ୍ରଶାସନ । ଥଇଥାନ କରିବା ସମୟରେ ଗାଁର ନାମ ଯାହା ଥିଲା, ଗାଁକୁ ରାଜସ୍ୱ ମାନ୍ୟତା ମିଳିବା ପରେ ଗାଁର ନାଁ ବଦଳି ଗଲା । ଆଉ ସରକାରଙ୍କ ତୃଟିପୁର୍ଣ ନିଷ୍ପତି ଯୋଗୁଁ ଗତ ୩୮ ବର୍ଷ ହେଲା ସମସ୍ୟା ଭୋଗୁଛନ୍ତି ବିସ୍ଥାପିତ ।

୧୯୮୨ ମସିହାରେ ରେଙ୍ଗାଳି ଜଳଭଣ୍ଡାର ପାଇଁ ବିସ୍ଥାପିତ ହୋଇଥିଲା ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ପୁରୁଣାପାଣି ଗାଁ । ସେହି ସମୟରେ ଗ୍ରାମବାସୀଙ୍କୁ ପାଳଲହଡା ବ୍ଲକର ଅର୍ଜୁନଝରି ଜଙ୍ଗଲ ଜମିରେ ଥଇଥାନ କରାଯାଇଥିଲା । ସେତେବେଳେ ଗାଁର ନାମ ଜଙ୍ଗଲ ନାମ ଅନୁସାରେ ଅର୍ଜୁନଝରି ରହିଥିଲା । ଲୋକଙ୍କ ଆଧାରକାର୍ଡ, ଭୋଟ ପରିଚୟପତ୍ର, ବ୍ୟଙ୍କା ପାସବୁକ୍ ଓ ସ୍କୁଲ ସବୁଠି ଗାଁର ନାମ ଅର୍ଜୁନଝରି ଲେଖା ହୋଇଛି । ହେଲେ ଯେତେବେଳେ ଗାଁଟିକୁ ସରକାର, ରାଜସ୍ୱ ଗ୍ରାମ ଭାବେ ଘୋଷଣା କଲେ ସେତେବେଳେ ଘର ଜମି ପଟାରେ ଗାଁର ନାମ ଅର୍ଜୁନଝରି ବଦଳରେ ନାରାୟଣଚନ୍ଦ୍ରପୁର ଲେଖିଦେଲେ । ଯାହାର ପରିଣାମ ୩୮ ବର୍ଷ ହେଲା ଭୋଗୁଛନ୍ତି ଲୋକେ । ଆଧାରକାର୍ଡ-ଜମିପଟା ମେଳ ଖାଉନଥିବାରୁ ସରକାର ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ଗ୍ରାମବାସୀ ।

ଗାଁର ନାମ ଦୁଇଟି ହୋଇଥିବାରୁ ଇନ୍ଦିରା ଆବାସ, ବିଜୁ ପକାଘର ଓ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି କୁଡିଆ ଘରେ ରହୁଥିବା ଗ୍ରାମବାସୀ । କେବଳ ଏତିକି ନୁହେଁ ସବୁଠାରୁ ଚିନ୍ତାର ବିଷୟ ସରକାରଙ୍କ ଏହି ବିଚିତ୍ର ନିଷ୍ପତି ଯୋଗୁଁ ଛାତ୍ରଛାତ୍ରୀମାନେ ପ୍ରମାଣପତ୍ର, ଜାତି ସାର୍ଟିଫିକେଟ ଓ ରୋଜଗାର ପ୍ରମାଣପତ୍ର ପାଇପାରୁନାହାନ୍ତି । ଏନେଇ ବାରମ୍ବାର ଉପଖଣ୍ଡ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

ଗାଁକୁ ସଂପୁର୍ଣ ଅର୍ଜୁନଝରୀ ନଚେତ ସଂପୂର୍ଣ୍ଣ ନାରାୟଣଚନ୍ଦ୍ରପୁର ଘୋଷଣା କରାଯାଇ, ଗ୍ରାମବାସୀଙ୍କୁ ସବୁ କାଗଜପତ୍ରକୁ ସଂଶୋଧନ କରିବାକୁ ଦାବି ହୋଇଛି ।