ବିସ୍ଥାପିତଙ୍କୁ ମିଳୁନି ଘରଡିହ କି ଜମିପଟ୍ଟା । ଦୟନୀୟ ସ୍ଥିତିରେ ପାଲ ତଳେ ଜିଉଁଛନ୍ତି ଜୀବନ ।

153

କନକ ବ୍ୟୁରୋ : ଜୀବନର ସବୁଠାରୁ ବଡ ଦୁଃଖ ଭିଟାମାଟି ଛାଡିବାର ଦୁଃଖ । ଘର ଭାଙ୍ଗିଯିବା ପରେ ଖରା-ବର୍ଷାରେ ପାଲ ତଳେ ରାତି କାଟିବା ଯେ କେତେ କଷ୍ଟ ତାହା ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି । କେନ୍ଦୁଝର ଯୋଡାର କାନପୁର ବୃହତ ଜଳସେଚନ ପ୍ରକଳ୍ପ ପାଇଁ ଘର ଭାଙ୍ଗିବା ପରେ ଭଙ୍ଗା ଘରେ ରହୁଛନ୍ତି ବିସ୍ଥାପିତ । ରହିବା ପାଇଁ ଘରଡିହ, ଚାଷଜମି ଖଣ୍ଡେ ମିଳିନଥିବାରୁ ଦୟନୀୟ ସ୍ଥିତିରେ ରହିବାକୁ ବାଧ୍ୟ ହେଉଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି ।

ଭାଙ୍ଗିରୁଜି ମାଟିରେ ମିଶିଯାଇଛି ମାଟି ଘର । ଶ୍ରୀହୀନ ହୋଇଯାଇଛି ସାରା ଗାଁ । ଭଙ୍ଗା ଘରୁ ସ୍ମୃତି ସାଉଁଟୁଛନ୍ତି ଯୋଡା ବ୍ଲକର ମୁରୁସୁଆଁ ଗାଁର ଲୋକେ । ପାଲ ଟାଣି ରହୁଛନ୍ତି ଲୋକେ । କାନପୁର ବୃହତ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବା ପରେ ମୁରୁସୁଆଁ ଗାଁ ଲୋକଙ୍କୁ ଘର ଡିହ କି ଚାଷ ଜମି ପଟ୍ଟା ଖଣ୍ଡେ ମିଳିନାହିଁ । ତେଣୁ ଭିଟାମାଟି ଛାଡି ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିସ୍ଥାପିତ ।

୪୦ ବର୍ଷ ହେଲା, ବାସୁଦେବପୁର ଠାରେ କାନପୁର ବୃହତ ଜଳସେଚନ ପ୍ରକ୍ରିୟା କାମ ଜାରି ରହିଛି । ତିନି ତିନି ଜଣ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଦୀର୍ଘ ବର୍ଷ ପରେ ପ୍ରକଳ୍ପ କାମ ଆଗେଇ ପାରୁନଥିବା ବେଳେ ବିଭିନ୍ନ କାରଣରୁ ମୁରୁସୁଆଁ ଗାଁର ୨୬୭ଟି ପରିବାରକୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇପାରିନାହିଁ । ତେବେ ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ଦାବି ଜୋର ଧରିଛି ।