କନକ ବ୍ୟୁରୋ: ଦୀର୍ଘ ୩୫ ବର୍ଷର ସଂଘର୍ଷ । ଶାଗ ମାଛ ଦରରେ ଜମି ନେଇଗଲା ଏମସିଏଲ । ହେଲେ ଏ ପର୍ଯ୍ୟନ୍ତ ମିଳିପାରିଲା ନାହିଁ ପୁନର୍ବାସ ଓ ଥଇଥାନର କ୍ଷତିପୂରଣ । ହାଇକୋର୍ଟରେ ମାମଲା ପହଞ୍ଚିଲା ବିଜୟୀ ମଧ୍ୟ ହେଲେ କିଛି ସୁବିଧା ମିଳିପାରିଲାନାହିଁ । କୋଇଲା ଗୁଣ୍ଡ ମଧ୍ୟରେ କାଳାତିପାତ କରୁଛନ୍ତି ଏମସିଏଲର ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ଅଞ୍ଚଳର ୧୪ ଟି ଗ୍ରାମର ବିସ୍ଥାପିତ । ପ୍ରଶାସନ ବୈଠକ ପରେ ବୈଠକ କରୁଛି , ଆଶ୍ୱାସନା ଦେଉଛି ହେଲେ କୌଣସି ସୁଫଳ ମିଳିପାରୁନାହିଁ । ଯେତିକି ଆନ୍ଦୋଳନ କଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି ଶେଷରେ ଏମସିଏଲର ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ ନିଷ୍ପତ୍ତି ନେଇଛି ଏହା ଅଧିନରେ ଥିବା ୧୪ଟି ଗ୍ରାମ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ଏନେଇ ସୁନ୍ଦରଗଡ ମୁଖ୍ୟାଳୟରେ ସୂଚନା ଦେଇଛି ସଙ୍ଗଠନ ।