କେଉଁଠି ଅଛନ୍ତି ଆଇପିଏସ୍ ଅଫିସର ଆଶିଷ ସିଂହ । ପୋଲିସ ଓ ଗୃହ ବିଭାଗ ମଧ୍ୟରେ ରହୁନି କି ତାଳମେଳ । ଗୃହ ବିଭାଗର ଚିଠିକୁ ନେଇ ପ୍ରଶ୍ନ 

243

କନକ ବ୍ୟୁରୋ: ଗୃହ ବିଭାଗ ଓ ପୋଲିସ ବିଭାଗ ମଧ୍ୟରେ ରହୁନି କି ତାଳମେଳ । ଆଇପିଏସ ଅଫିସର ଆଶିଷ ସିଂହ କେଉଁଠି ଅଛନ୍ତି ବୋଲି ଗୃହ ବିଭାଗ ଚିଠି କରିବା ପରେ ଏପରି ଏକ ଚର୍ଚ୍ଚା ହେଉଛି । ଛୁଟିରୁ ଫେରିଲା ପରେ ସେ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି । ତାଙ୍କୁ ଏବେ ଗୁଇନ୍ଦା ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ଗୃହ ବିଭାଗରେ କିପରି ଜଣେ ବିବାଦୀୟ ଆଇପିଏସ୍ ଅଧିକାରୀଙ୍କ ବିଷୟରେ କିଛି ସୂଚନା ନାହିଁ, ତାହା ପ୍ରଶାସନିକ ମହଲକୁ ଚକିତ କରିଛି ।

ନିକଟରେ କଟକ ମୁଖ୍ୟାଳୟରେ ପୋଲିସ ଡିଜିଙ୍କ ବୈଠକ ବସିଥିଲା । ରଥଯାତ୍ରା ସୁରକ୍ଷାକୁ ନେଇ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ଆଶିଷ ସିଂହ ଉପସ୍ଥିତ ଥିଲେ । ଯାହାର ଚିତ୍ର ଆମେ ଆପଣଙ୍କୁ ଦେଖାଉଛୁ । କିନ୍ତୁ ଗୃହ ବିଭାଗ ତାଙ୍କ ସମ୍ପର୍କରେ ଟେର ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭାଗ ଓ ପୁଲିସ୍ ମୁଖ୍ୟାଳୟ ମଧ୍ୟରେ ଏକ ବଡ଼ ଧରଣର ବ୍ୟବଧାନ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଆଶିଷ ସିଂହ ବିବାଦରେ ରହିଆସିଛନ୍ତି । ସେ ସିଧାସଳଖ ଶାସକ ଦଳ ପାଇଁ କାମ କରୁଥିବାର ଅଭିଯୋଗ ରହିିଥିଲା । ଏହାପରେ ନିର୍ବାଚନ କମିସନଙ୍କ ନିକଟରେ ମାମଲା ପହଞ୍ଚିିଥିଲା । ଫଳରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କେନ୍ଦ୍ରଂଚାଳ ଆଇଜି ପଦରୁ ହଟାଯାଇଥିଲା । ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଦାୟିତ୍ୱ ନଦେବା ପାଇଁ କମିସନ କହିଥିଲେ । ଏହା ପରେ ଆଶିଷ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ତେବେ ମେ’ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣରୁ ସେ ମାସେ ଛୁଟିରେ ଯାଇଥିଲେ । ଛୁଟିରେ ରହି ସେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ପୁଣି କମିସନଙ୍କ ନିକଟରେ ପହଞ୍ଚିିଥିଲା । ଏହା ପରେ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ଏମ୍ସ୍ରେ ଏକ ୬ ଜଣିଆ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଏହି ଟିମ୍ ରିପୋର୍ଟ ଦେଇଥିଲେ । କମିସନ ଏହି ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବା ସହ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରିଥିଲେ । କିନ୍ତୁ ଏହାପରେ ଆଶିଷ ସିଂହଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।