ଆବାସ ଦୁର୍ନୀତିର ସାଂଘାତିକ ଅଭିଯୋଗ । ନବରଙ୍ଗପୁରରେ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ କରି ନେଲା ଠିକାଦାର, କାମାକ୍ଷାନଗରରେ ଆବାସ ନମିଳିବାରୁ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧା ।

100

କନକ ବ୍ୟୁରୋ : ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ଗରିବ ଲୋକଙ୍କ ଦୁଃଖ ଦୂର ହେଉନାହିଁ । ଗରିବ ସେମିତି ଅଭାବ ସହ ଯୁଝି ହେଉଛନ୍ତି । ଚାଳ ଛପର କୁଡିଆରେ କାଳ କାଟୁଛନ୍ତି । ଅନେକ କ୍ଷେତ୍ରରେ ଗରିବ ଅସହାୟ ବ୍ୟକ୍ତି ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ । ଯଦି କେଉଁଠି ଗରିବ ହିତାଧିକାରୀଙ୍କୁ ପକ୍କା ଘର ପାଇଁ କାର୍ଯ୍ୟାଦେଶ ମିଳିଛି, ସେଠି ଠିକାଦାର ସେମାନଙ୍କୁ ଠକି ଦେଇଛି । ଢେଙ୍କାନାଳର କାମାକ୍ଷାନଗର ଓ ନବରଙ୍ଗପୁରର କୋଷାଗୁମୁଡ଼ା ବ୍ଲକରୁ ଆସିଛି ଆବାସ ଦୁର୍ନୀତିର ଗନ୍ଧ ।

ପଲିଥିନ ତଳେ ରାତି କାଟୁଥିବା ବୃଦ୍ଧା ଜଣଙ୍କ ସରକାରଙ୍କ ପକ୍କା ଘର ଯୋଜନାକୁ ଉପହାସ କରୁଛନ୍ତି । ସେ ଆବାସ ଯୋଜନା ହେଉ ବା ବିଜୁ ପକ୍କାଘର ଯୋଜନା । କିଛି ନାହିଁ ଢ଼େଙ୍କାନାଳ କଙ୍କଡାହାଡ଼ ବ୍ଲକ କରଗୋଳା ପଂଚାୟତର କଇଁତା ମହାରଣାଙ୍କ ପାଇଁ । ଝିଅଟି ବାହା ହୋଇ ଯିବାର କିଛି ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ ଦୀନବନ୍ଧୁ ମହାରଣା । କଇଁତାଙ୍କ ମୁଣ୍ଡ ଉପରେ ଥିବା ଚାଳ ଛପର ଘର ବି ଭାଙ୍ଗି ମାଟିରେ ମିଶି ଗଲା । ବାସ, ତା’ପର ଠାରୁ ଏମିତି ପଲିଥିନ ତଳେ ବଂଚିଛନ୍ତି ପକ୍ଷାଘାତ ରୋଗରେ ପୀଡିତା ବୃଦ୍ଧା । ସରକାରଙ୍କ ପକ୍ଷରୁ ମାସିକ ୫ଶହ ଟଙ୍କାର ଭତା ଓ ୫ କେଜି ରାସନ ଚାଉଳ ମିଳୁଥିବା ବେଳେ ଆବାସ କି ବିଜୁ ପକାଘର ଯୋଜନାରେ ଘରଟିଏ ମିଳିନାହିଁ ।

ସେପଟେ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଆଉ ଏକ ସାଙ୍ଘାତିକ ଖବର । କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଛେଣ୍ଡିଗୁଡା ଗାଁରେ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଛେଣ୍ଡିଗୁଡାର ତିନି ଜଣ ହିତାଧିକାରୀଙ୍କ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ ଆଗୁଆ ୨୦ ହଜାର ଟଙ୍କା ପାଇଥିଲେ । ଏହା ଜାଣିବା ପରେ ଦୁଇଜଣ ଦଲାଲ ଏବଂ ସରପଞ୍ଚଙ୍କ ସ୍ୱାମୀ ହିତାଧିକାରୀଙ୍କୁ ଘର ତିଆରି କରାଇଦେବେ କହି ସେମାନଙ୍କ ଠାରୁ ସବୁ କାଗଜ ପତ୍ର ଏବଂ ଆଗୁଆ ମିଳିଥିବା ଟଙ୍କା ନେଇଥିଲେ । ସେହିଭଳି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମିଳିଥିବା ସବୁ ଟଙ୍କା ଠିକାଦାର ଉଠାଇ ନେଇଛନ୍ତି । ମିଛ ଘର ଫଟୋ ଅପଲୋଡ଼ କରି ଦଲାଲମାନେ ଟଙ୍କା ଉଠାଇ ନେଇଥିବା ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କ ପାଖରେ ଅଭିଯୋଗ କରିଛନ୍ତି ହିତାଧିକାରୀ । କିନ୍ତୁ ଉକ୍ତ ଠିକଦାରଙ୍କ ଉପରେ ଏଯାଏଁ କାହିଁକି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।