କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିରିଜ୍ ଟ୍ୱିଟ୍ କରି କ୍ୟାପଟେନଙ୍କ ଉପରେ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ପ୍ରଦୀପ୍ତ ନାୟକ । ମାମଲାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ବହିଷ୍କାର ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।
ପ୍ରଦୀପ୍ତ ନାୟକ କହିଛନ୍ତି, ମହାଲିଙ୍ଗ କଲେଜ ହେଉଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜୀବନ ଓ ଗୋବିନ୍ଦ ସାହୁ ବିନ୍ଧାଣୀ । ବର୍ଷ ବର୍ଷ ଧରି କଲେଜରେ ଛାତ୍ରୀଙ୍କ ଶାରିରୀକ ଶୋଷଣ ହେଉଥିଲା, ଅନୈତିକ କାର୍ଯ୍ୟକଳାପ ଚାଲୁଥିଲା, ଗୃହ ରାଷ୍ଟ୍ରମନ୍ତ୍ରୀ କଲେଜକୁ ବାରମ୍ବାର ଯାଉଥିଲେ ଓ ରାତ୍ରୀଯାପନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁ କେଳେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଜାଣୁଥିଲେ. ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୋଲିସ ବିଭାଗ ପାଖରେ କିପରି ଖବର ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହା ସହ ବିରୋଧୀ ଦଳ ନେତା କହିଛନ୍ତି, ଜଣେ ମନ୍ତ୍ରୀ ଗୋଟିଏ ସ୍ଥାନକୁ ବାରମ୍ବାର ଯାଉଥିଲେ, ହେଲେ ସେ ଜାଗାର କେଳେଙ୍କାରୀ ବିଷୟରେ ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ପାଖରେ କିପରି କୌଣସି ଖବର ନଥିଲା? ଏହା ଅସମ୍ଭବ, ଗୃହରାଷ୍ଟ୍ର ମନ୍ତ୍ରୀ ଜାଣିଶୁଣି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ହେବା ପାଇଁ ହିଁ କଲେଜକୁ ଯାଉଥିଲେ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି ପ୍ରଦୀପ୍ତ ।
କେବଳ ବିରୋଧୀ ଦଳ ନେତା ନୁହଁନ୍ତି ପୂରା ରାଜ୍ୟରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ହେଉଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସ୍ୱର ଏକ କରିଛନ୍ତି । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ସରକାର ସଠିକ୍ ଦିଗରେ ତଦନ୍ତ କରନ୍ତୁ । ସବୁ ସତ ଆପଣାଛାଏଁ ସାମ୍ନାକୁ ଆସିବ । କିନ୍ତୁ ଏହି ଘଟଣାକୁ ରାଜ୍ୟସାରା ହଟଚମଟ ହେଉଥିବା ବେଳେ ଦିବ୍ୟଶଙ୍କର କିନ୍ତୁ ପୂରା ଚୁପ୍ । ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ନା ମମିତା ହତ୍ୟାକାଣ୍ଡ ବାବଦରେ ମୁହଁ ଖୋଲୁଛନ୍ତି ନା ନିଜ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ ସ୍ପଷ୍ଟୀକରଣ ରଖୁଛନ୍ତି ଦିବ୍ୟଶଙ୍କର । ଆଉ ମନ୍ତ୍ରୀଙ୍କ ଏଭଳି ମୌନ ଅବତାର ଏବେ ଅନେକ ସନ୍ଦେହ ସୃଷ୍ଟି କରୁଛି ।
Follow Us