ମରୁଡି କବଳରୁ ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି : ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

21

କନକ ବ୍ୟୁରୋ : ମରୁଡି ପ୍ରଭାବିତ ଅଂଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତକାଲି ୧୫ଟି ଜିଲ୍ଲାର ୭୦ଟି ବ୍ଲକରେ ୩ ଲକ୍ଷ ୨୩ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ନେଇ ରାଜସ୍ୱ ବିଭାଗକୁ ରିପୋର୍ଟ ଦେଇଥିଲା ଏସଆରସି । ୨୭ ତାରିଖରେ ଏ ନେଇ ବିଭାଗୀୟ ଆଲୋଚନା ପରେ ଚୂଡାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ସ୍ଥିର ହୋଇଥିଲା । ତେବେ ଆଜି ହିଁ ମୁରୁଡି ସହାୟତା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ ।

୧୫ଟି ଜିଲ୍ଲାର ୭୦ଟି ବ୍ଳକ ଏବଂ ୧୧୨୫ ଗ୍ରାମପଂଚାୟତର ଚାଷୀଙ୍କୁ ନବୀନ ଦେଲେ ସ୍ୱତନ୍ତ୍ର ପ୍ୟାକେଜ । ୩୩ ପ୍ରତିଶତ କିମ୍ବା ତା ଠାରୁ ଅଧିକ ଫସଲ ହାନିହୋଇଥିବା ଅଣ ଜଳସେଚିତ ଅଂଚଳରେ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ମିଳିବ । ଜଳସେଚିତ ଅଂଚଳରେ ଫସଲହାନି ହୋଇଥିଲେ ଚାଷୀଙ୍କୁ ୧୩,୫୦୦ ଟଙ୍କାର ଇନପୁଟ ସବସିଡି ମିଳିବ । ସ୍ୱତନ୍ତ୍ର ପ୍ୟାକେଜ ସହ ଖରିଫ୍ ଫସଲହାନି ହୋଇଥିବା ଚାଷୀଙ୍କୁ ଋଣ ଦେବେ ସରକାର । ରବି ଋତୁ ପାଇଁ ୧ଲକ୍ଷ ୨୫ ହଜାର ଟଙ୍କାର କୃଷିଋଣ ମିଳିବ । ସେହିପରି ତୈଳବିଜ ପାଇଁ ୫୦ ହଜାର ଓ ପନିପରିବା ପାଇଁ ୨୫ ହଜାର ଟଙ୍କା ଋଣ ଦେବେ ସରକାର ।

ମଙ୍ଗଳବାର ରାଜସ୍ୱ ବିଭାଗର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆସନ୍ତା ୨୭ରେ ମରୁଡି କ୍ଷୟକ୍ଷତି ଉପରେ ସବିଶେଷ ଆଲୋଚନା ହୋଇ ରିପୋର୍ଟ ଦିଆଯିବ ମୁଖ୍ୟମନ୍ତ୍ରୀଙ୍କୁ । ତେବେ ବୁଧବାର ଦିନ ହିଁ ମରୁଡି ପ୍ୟାକେଜ ଘୋଷଣା କରାଯାଇଛି । କାଳେ ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ହୋଇଯିବ ଏହାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଘୋଷଣା କରିଥିବା ଅନୁମାନ କରାଯାଉଛି ।