ଆସୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ ? ସାରା ବିଶ୍ୱକୁ ଘାରିଲା ଚିନ୍ତା । ଡାକ୍ତର କରାଇଲେ ସତର୍କ, କହିଲେ କରୋନାଠୁ ବି ହୋଇପାରେ ମାରାତ୍ମକ ।

4,961

କନକ ବ୍ୟୁରୋ : କୋଭିଡ୍-୧୯ ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀବାସୀଙ୍କୁ ବ୍ୟାପିବାର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶନ୍ଧି ତଳେ ୧୯୭୬ରେ ଇବୋଲା ରୋଗର ଆବିଷ୍କାର କରିଥିବା ବୈଜ୍ଞାନିକ ଜିନ ଜ୍ୟାକ୍ସ ମୁୟେମ୍ବେ ତାମ୍ଫୁମ୍ ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି । ଏହାକୁ ଡିଜିଜ-ଏକ୍ସ ବୋଲି କୁହାଯାଉଛି, ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାତ୍ମକ ।

ଜିନ୍ ଜ୍ୟାକ୍ସଙ୍କ କହିବା ଅନୁଯାୟୀ, ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି । ଆଫ୍ରିକାର ଟ୍ରପିକାଲ୍ ରେନ୍ ଫରେଷ୍ଟରୁ, ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏପରି ଏକ ବିଶ୍ୱରେ ବସବାସ କରୁଛେ, ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ, ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଡିଜିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରେ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଡିଜିଜ-ଏକ୍ସକୁ ଏବେ ପରିକଳ୍ପନା ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବ୍ୟାପେ, ତେବେ କରୋନା ଭୂତାଣୁ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ଏହାର ସଂକ୍ରମଣ ହେବ । ପ୍ରଫେସର ଜିନ୍ ପ୍ରଥମେ ଇବୋଲା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୂନା ସଂଗ୍ରହ କରି ଏହି ଭୂତାଣୁକୁ ଇବୋଲା ନାଁ ଦେଇଥିଲେ ।

ତେବେ କୋଭିଡ୍-୧୯ ଠାରୁ ଏହି ରୋଗ ଅଧିକ ବେଗରେ ବ୍ୟାପିବା ସହ ଇବୋଲା ପରି ୫୦ରୁ ୯୦ ପ୍ରତିଶତ ମୃତ୍ୟୁହାର ରହିଥିବା କୁହାଯାଉଛି । ଅନ୍ୟପଟେ ପଶୁଙ୍କ ଠାରୁ ମନୁଷ୍ୟ ଶରୀରକୁ ଡେଇଁଲା ଭଳି, ମାନବ ସମାଜକୁ ଅନେକ ରୋଗର ଶିକାର ହେବାକୁ ପଡିପାରେ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରଫେସର ଜିନ୍ ।