ଆଖଡା ମଠ ମହନ୍ତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ଶେଷ । ଜିଲ୍ଲାପାଳ କହିଲେ, ସମସ୍ତଙ୍କ ସହ ଆଲୋଚନା ହେବ, ତା ପରେ ମଠ ଭଙ୍ଗାହେବ ।

452

କନକ ବ୍ୟୁରୋ : ପୁରୀ ବଡ ଆଖଡା ମଠ ଉଚ୍ଛେଦକୁ ବିରୋଧ ଘଟଣାରେ ମଠ ମହନ୍ତଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଆଲୋଚନା ଶେଷ । ଆଲୋଚନା ସଫଳ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । କେବଳ ବଡ ଆଖଡା ନୁହେଁ ବରଂ ଅନ୍ୟ କିଛି ମଠ ମହନ୍ତଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ ।ଏହାସହ ସାମୟିକ ସମୟ ପାଇଁ ବଡ ଆଖଡା ମଠ ଉଚ୍ଛେଦ ସ୍ଥଗିତ ରଖାଯାଇଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସମସ୍ତଙ୍କ ସହ ଆଲୋଚନା ପରେ ସହମତିରେ ପୁଣିଥରେ ଏହି କାର୍ଯ୍ୟକୁ ଆଗକୁ ନିଆଯିବ ବୋଲି କହିଛନ୍ତି ବଲୱନ୍ତ ସିଂ ।

ଏହାଛଡା ଆଗକୁ ମଠ ଉଚ୍ଛେଦ ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା ହେବ । ପ୍ରତି ମଠର କ୍ଷତିପୂରଣ ଓ ପୁର୍ନବାସ ନେଇ ସମସ୍ତଙ୍କର ମତ ନିଆଯିବ । ଏପରିକି ମଠର ଐତିହ୍ୟ ଓ ପରମ୍ପରା କିଭଳି ରକ୍ଷା କରାଯାଇପାରିବ ତାହା ଉପରେ ଦୃଷ୍ଟି ଦିଆଯିବ । ଉଚ୍ଛେଦ ପରେ ନିର୍ମାଣ ହେବାକୁ ଥିବା ମଠକୁ ଅଧିକ ସୁନ୍ଦର ଓ ସମୃଦ୍ଧ କିଭଳି କରାଯିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା ସମସ୍ତ ଗୋଷ୍ଠୀଙ୍କ ସହ ଆଲୋଚନା ପରେ ସହମତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ।