କନକ ବ୍ୟୁରୋ : ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭବିଷ୍ୟତରେ ଆଉ ଅଭାବ ଅସୁବିଧା ବିଷୟରେ ଜଣାଇବାକୁ ଆସିବ ନାହିଁ । ପଂଚାୟତ ନିର୍ବାଚନ ପ୍ରଚାର ବେଳେ ବିିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଭୋଟରମାନଙ୍କୁ ଏପରି କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବିିଂଝାରପୁର ବ୍ଲକ ଅଳକୁଣ୍ଡ ପଂଚାୟତରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟିକା ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ ଦିଅନ୍ତି, ତାହେଲେ ଆଗକୁ ବାର୍ଦ୍ଧକ୍ୟ ଭତ୍ତା, ରାସନ କିମ୍ବା ଆବାସ ଯୋଜନାରେ ଘର ନେଇ କହିବ ନାହିଁ ବୋଲି ସେ କହୁଥିବା ଶୁଣିବାକୁ ମିଳିଛି ।

Advertisment

ଅଭିଯୋଗ ଅନୁଯାୟୀ, ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ ।

ବିଜେଡି ନେତା ନରେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ବିଜେଡି ସଭାପତି ମୁରଲୀ ବେହେରା, ପଞ୍ଚାୟତ ସଭାପତି ପ୍ରମୋଦ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ସେକ୍‌ ୱାରିସ ଅଲ୍ଲି, ଶିକ୍ଷକ ସେକ ମହମ୍ମଦ ଓକିଲ, ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁନିତା ନାୟକ ପ୍ରମୁଖ ଯୋଗଦେଇଥିଲେ । ଅଳକୁଣ୍ଡ ବସ୍ତିର କର୍ମୀ ଓ ଭୋଟରଙ୍କ କହିବା ଅନୁଯାୟୀ, ବିଧାୟିକା ପ୍ରମିଳା ମଲ୍ଲିକ ଘୋଷଣା କରିଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରିବେ ନାହିଁ । ବିଧାୟିକା ପ୍ରମିଳା ମଲ୍ଲିକ ସଭାରେ ଭତ୍ତା, ରାସନ ଓ ଆବାସ କଥା କହି ଭୟଭୀତ କରିବାକୁ ଗୋଟି ଚାଳନା କରିଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ବିଧାୟିକାଙ୍କ ନିର୍ଦ୍ଦେଶ ମାନିବେ ନାହିଁ ବୋଲି କହିଛନ୍ତି । ରାଜ୍ୟ ନିର୍ବାଚନ କମିସନ ଏଥିପ୍ରତି ଦୃଷ୍ଟିଦେବାକୁ  ଗ୍ରାମବାସୀ ଦାବି କରିଛନ୍ତି ।