କନକ ବ୍ୟୁରୋ: ରାଜ୍ୟରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ସମ୍ପର୍କକୁ ନେଇ ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବିଜେପି ପାଖରେ ସଂଖ୍ୟା ନଥାଇ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିବା ଓ ବିଜେଡି ସମର୍ଥନ ଜଣାଇବା ଏହି ସମ୍ପର୍କକୁ ଅଧିକ ହାୱା ଦେଇଛି । ପ୍ରଶ୍ନ ଉଠୁଛି ଏହି ସମ୍ପର୍କ ଆଗକୁ ଦୁଇ ଦଳ ମଧ୍ୟରେ ବୁଝାମଣା ବା ମେଣ୍ଟର ରୂପ ନେବ ନାହିଁ ତ ?

  • ଦି ହିନ୍ଦୁ – ଓଡିଶାରେ ବିଜେପି ଓ ବିଜେଡି ପରସ୍ପରର ଶତ୍ରୁ ନା ମିତ୍ର ?
  • ଦି ଇଣ୍ଡିଆନ ଏକ୍ସପ୍ରେସ – ଓଡିଶାରେ ବିଜେଡି-ବିଜେପି ମଧ୍ୟରେ ସୁସମ୍ପର୍କ ବଢିବାରେ ଲାଗିଛି, ତେଣୁ ପ୍ରକୃତ ବିରୋଧୀ ଭୂମିକା ତୁଲାଉଛି କଂଗ୍ରେସ
  • ଦି ଟାଇମ୍ସ ଅଫ ଇଣ୍ଡିଆ – ବିଜୁ ଜନତା ଦଳ ଉକ୍ରଣ୍ଠା ବଢାଇ ଚାଲିଛି, ନିର୍ବାଚନ ପୂର୍ବରୁ ମେଣ୍ଟକୁ ଯିବ କି ଦଳ?
  • ହିନ୍ଦୁସ୍ତାନ ଟାଇମ୍ସ – ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କଲେ ମୋଦୀ, ବିଜେଡି-ବିଜେପି ଏକାଠି ଥିବା କହିଲା କଂଗ୍ରେସ

ଗତ କିଛି ଦିନ ହେଲା , ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ ଓ କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ମଧ୍ୟରେ ସମ୍ପର୍କକୁ ନେଇ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଏଭଳି ଖବର କିଛି ପ୍ରକାଶ ପାଉଛି । ବିଶେଷ କରି ବିଜେପି ପାଖରେ ସଂଖ୍ୟା ନଥାଇ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା ଓ ଅଯାଚିତ ଭାବେ ବିଜେଡି ତାଙ୍କୁ ସମର୍ଥନ ଜଣାଇବା ଦୁଇ ଦଳ ମଧ୍ୟରେ ସଂମ୍ପର୍କକୁ ନେଇ ଏଭଳି ଧାରଣା ତିଆରି କରିଛି । ପ୍ରଶ୍ନ ଉଠୁଛି ଏହି ସମ୍ପର୍କ ଆଗକୁ ଦୁଇ ଦଳ ମଧ୍ୟରେ ବୁଝାମଣା ବା ମେଣ୍ଟର ରୂପ ନେବ ନାହିଁ ତ ?

ଫେବୃଆରୀ ୩ ତାରିଖ, ଅବସର ଥିଲା ସମ୍ବଲପୁର ଆଇଆଇଏମ କ୍ୟାମ୍ପସର ଲୋକାର୍ପଣ । ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଞ୍ଚରେ ବସିଥିବାବେଳେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ ମୋଦୀ । ବାସ, ଏହିଠାରୁ ହୋଇଥିଲା ବିଜେପ-ବିଜେଡି ମଧ୍ୟରେ ସୁ-ସମ୍ପର୍କ ନେଇ ଚର୍ଚ୍ଚା । ରାଜ୍ୟ କଂଗ୍ରେସ ମଧ୍ୟ ବିଜେଡି-ବିଜେପି ବାହାଘର କରାଇ ଏହି ଚର୍ଚ୍ଚାକୁ ବଢାଇଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସର୍ବମାନ୍ୟ ନେତା ରାଜ୍ୟର ଶୀର୍ଷ ନେତୃତ୍ୱଙ୍କୁ ପ୍ରଂଶସା କରିବା ଓଡିଶା ବିଜେପି ଶିବିରକୁ ଦ୍ୱନ୍ଦ୍ୱରେ ପକାଇଛି । କିନ୍ତୁ ବିଜେଡି-ବିଜେପି ମେଣ୍ଟ ନେଇ ପଚାରିଲେ ବିଜୁ ଜନତା ଦଳ ଏଭଳି ନ୍ୟାରେଟିଭ ତିଆରି କରୁଥିବା ସଫେଇ ରଖିଛି ବିଜେପି ।

ସବୁଠାରୁ ବଡ କଥା ହେଉଛି, ଏକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ବିଜେଡି ବିଜେପି ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ଓ ଆସନ ଭାଗବଣ୍ଟା ସମ୍ଭାବନା ପ୍ରଶ୍ନକୁ ଅତି ଚତୁରତାର ସହ ଏଡାଇ ଯାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ଫାଣ୍ଡିଆନ୍ । କିଛି ପ୍ରସଙ୍ଗରେ ଉତ୍ତର ଜାଣିବା ପାଇଁ , କିଛିଦିନ ଅପେକ୍ଷା କରିବାକୁ ପଡିବ । ଏପରିକି ରାଜନୈତିକ ରଣନୀତି, ଏଭଳି ସାଧାରଣ ମଞ୍ଚରେ ଆଲୋଚନା କରାଯାଏ ନାହିଁ ବୋଲି ସେ ମତ ଦେଇଛନ୍ତି ।