ମନ୍ତ୍ରୀଙ୍କ ସମ୍ପତ୍ତି ନେଇ ଆରମ୍ଭ ହେଲା ଚର୍ଚ୍ଚା । ପ୍ରତାପଙ୍କ ଆକ୍ରମଣ, ପ୍ରମିଳା କହିଲେ କାରଣ

14,147

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସମସ୍ତ ମନ୍ତ୍ରୀଙ୍କ ସମ୍ପତି ତାଲିକା ସାର୍ବଜନୀନ ପରେ ଜୋରଦାର ହୋଇଛି ଚର୍ଚ୍ଚା । କେଉଁ ମନ୍ତ୍ରୀଙ୍କର କେତେ ସମ୍ପତି ଅଛି, ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ ।

  • ମନ୍ତ୍ରୀଙ୍କ ସମ୍ପତ୍ତି ନେଇ ଆରମ୍ଭ ହେଲା ଚର୍ଚ୍ଚା
  • ପ୍ରତାପଙ୍କ ଆକ୍ରମଣ, ପ୍ରମିଳା କହିଲେ କାରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ନିଜ ନିଜର ସମ୍ପତ୍ତି ତାଲିକା ଘୋଷଣା କରିବା ପରେ ଆରମ୍ଭ ହୋଇଛି ରାଜନୀତି । ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ଓ ବିରୋଧୀ । ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ସବୁଠାରୁ ଧନୀ ବୋଲି ଜଣାପଡିଛି । ୨୦୨୨ ସୁଦ୍ଧା ତାଙ୍କ ସମ୍ପତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ହୋଇଛି । ଗତବର୍ଷଠାରୁ ନବୀନଙ୍କ ସମ୍ପତ୍ତିର ପରିମାଣ ୪୨ ଲକ୍ଷ ୯୦ ଟଙ୍କା ବଢିଛି । ସମ୍ପତ୍ତି ତାଲିକାରେ ପ୍ରାୟ ସବୁ ମନ୍ତ୍ରୀଙ୍କ ସମ୍ପତି ବଢିଛି । ଆଉ ମନ୍ତ୍ରୀଙ୍କ ସମ୍ପତ୍ତିକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି ।

ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ସମ୍ପତି ବଢିଚାଲିଛି । ଯେତିକି ଦେଖାଉଛନ୍ତି. ତାଠାରୁ ଅଧିକ ବଢିଛି । କେଉଁଠୁ ଆସୁଛି ଆପଣ ମାନେ ବିଚାର କରନ୍ତୁ । ସେପଟେ ପ୍ରମିଳା ମଲ୍ଲିକ ଜବାବରେ କହିଛନ୍ତି, କେହି କିଛି ଲୁଚାଉନାହାନ୍ତି । ସମସ୍ତଙ୍କର ପୂର୍ବପୁରୁଷ ଓ ପୈତୃକ ସମ୍ପତ୍ତି ଅଛି । ଏହାକୁ ଫୋପାଡିଦେବୁ ନା ଲୁଚାଇଦେବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀଙ୍କ ମଧ୍ୟରେ ୧୪ ମନ୍ତ୍ରୀ ହେଉଛନ୍ତି କୋଟିପତି । ନିରଞ୍ଜନ ପୂଜାରୀଙ୍କ ପାଖରେ ସବୁଠାରୁ ଅଧିକ ସୁନାଗହଣା ଅଛି । ଆଉ ସବୁଠାରୁ ଗରିବ ମନ୍ତ୍ରୀ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ତାଙ୍କ ପାଖରେ ମାତ୍ର ୪୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ନବୀନଙ୍କ ମନ୍ତ୍ରୀଙ୍କ ମଧ୍ୟରେ ପ୍ରମୁଖ କୋଟିପତି ମନ୍ତ୍ରୀ ହେଉଛନ୍ତି, ଅଶୋକ ପଣ୍ଡା, ପ୍ରୀତିରଞ୍ଜନ ଘଡାଇ, ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ସ୍ୱାଇଁ, ଉଷା ଦେବୀ, ରୋହିତ ପୂଜାରୀ, ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ । ନିରଞ୍ଜନ ପୂଜାରୀଙ୍କ ପାଖରେ ୪୦ ଲକ୍ଷ ଟଙ୍କାର ସୁନାଗହଣା ରହିଛି । ତାଙ୍କ ନିକଟରେ ୩ଟି ଗାଡି ଅଛି । ପ୍ରଫୁଲ୍ଲ ମଲ୍ଲିକ, ରୀତା ସାହୁ ଓ ପ୍ରୀତିରଞ୍ଜନ ଘଡାଇଙ୍କ ନିକଟରେ କୌଣସି ଗାଡି ନଥିବା ସେମାନେ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି ।