କନକ ବ୍ୟୁରୋ: ରାଜ୍ୟରେ ଆଲର୍ଟ ଜାରି କରି ରାଜନୈତିକ ରାଲିରେ ମାତିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବେ କରୋନାର ହଟସ୍ପଟ ପାଲଟିଛି । ସେଥିପାଇଁ ଭିଡ ନିୟନ୍ତ୍ରଣ କରି କରୋନା ସଂକ୍ରମଣ ରୋକିବାକୁ ଏକାଧିକ କଟକଣା ଲଗାଯାଇଛି । ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ସମାବେଶ ଉପରେ କଟକଣା ଲଗାଯାଇଛି । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଉତ୍ତରପ୍ରଦେଶରେ ରାଲି ଓ ସାଧାରଣ ସଭା କରିବାକୁ ଯାଉଛନ୍ତି । ଆଜି ଅପରାହ୍ନରେ ଲକ୍ଷେ୍ନøର ସ୍ମୃତି ଉପବନରେ ରାଲି କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ । ନଭେମ୍ବର ୨୮ରେ ହେବାକୁ ଥିବା ଏହି ରାଲି ଓ ସାଧାରଣ ସଭା ପରୀକ୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ ୟୁପିରେ କ୍ଷମତାକୁ ଆସିଲେ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ସହ ୧୦ ଲକ୍ଷ ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇଛି ଆପ୍ । ସେହିପରି ମାସିକ ୫ ହଜାର ଟଙ୍କା ବେକାରୀ ଭତ୍ତା ମଧ୍ୟ ଘୋଷଣା କରିଛି ଆମ ଆଦମୀ ପାର୍ଟି ।

Advertisment

ସୂଚନାଯୋଗ୍ୟ ଯେ, କରୋନାର ହଟସ୍ପଟ ପାଲଟିଛି ରାଜଧାନୀ ଦିଲ୍ଲୀ । ଓମିକ୍ରନ ଭୂତାଣୁ ଏଠାରେ କରୋନା ସଂକ୍ରମଣକୁ ବ୍ୟାପକ କରିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ କରୁଛି । ଭିଡକୁ ନିୟନ୍ତ୍ରଣ କରି କରୋନା ମାମଲା କମ କରିବାକୁ ଏକାଧିକ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ରାତି ୧୦ରୁ ସକାଳ ୫ ଯାଏ କର୍ଫ୍ୟୁ ସହ ସିନେମା ହଲ, ସ୍ପା, ଜିମ ଆଦିକୁ ବନ୍ଦ କରିଦିଆଯାଇଛି । ୫୦ ପ୍ରତିଶତ କ୍ଷମତାରେ ରେଷ୍ଟୁରାଣ୍ଟ ଓ ବାର ଚଲାଇବାକୁ ଅନୁମତି ମିଳିଛି ।

ଅନ୍ୟପଟେ ଦିଲ୍ଲୀ ମେଟ୍ରୋ ଓ ବସରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ରହିଛି । ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ଏସବୁ ନିୟମ କେବଳ ଲୋକଙ୍କ ଭିଡ କମାଇବାକୁ । ଲୋକ ଏକାଠି ହେଲେ ସଂକ୍ରମଣ ଅଧିକ ବ୍ୟାପିବ, ସେଥିପାଇଁ ବାରମ୍ବାର ସଚେତନ କରାଯାଉଛି । ନୂଆବର୍ଷରେ ଅଧିକ ଭିଡ ହେବା ଆଶଙ୍କା କରି ଧର୍ମାନୁଷ୍ଠାନ ଗୁଡିକରେ ଭକ୍ତିଙ୍କ ପ୍ରବେଶ ଉପରେ କଟକଣା ରହିଥିଲା । ଗତକାଲି ଦିନ ତମାମ ଲୋକେ କଟକଣାକୁ ମାନି ଥିବା ବେଳେ ସନ୍ଧ୍ୟାରେ ଧର୍ଯ୍ୟଚ୍ୟୁତ ହୋଇଥିଲେ । ଦିନ ଯାକ ଘରେ ରହି ରହି ରାତିରେ ପ୍ରବଳ ସଂଖ୍ୟାରେ ବଜାରକୁ ମାଡି ଆସିଥିଲେ । ସବୁ କଟକଣାକୁ ଫୁ କରି କରୋନାକୁ ଆମନ୍ତ୍ରଣ କରିଥିଲେ ଦିଲ୍ଲୀବାସୀ । ବଜାର ଘାଟରେ ଲାଗିରହିଥିବା ଭିଡକୁ ନିୟନ୍ତ୍ରଣ କରିବା ପୋଲିସ କିମ୍ବା ପ୍ରଶାସନ ପକ୍ଷରେ ସମ୍ଭବ ହୋଇନଥିଲା ।