ଗ୍ୟାଙ୍ଗଷ୍ଟର ହାଇଦର ଫେରାର ନେଇ ଆସିଲା ଚାଂଚଲ୍ୟକର ତଥ୍ୟ : ବୁର୍ଲା ଭୀମସାରରେ ଚିକିତ୍ସା ନେଇ ରେଜିଷ୍ଟ୍ରରରେ ନାହିଁ ହାଇଦରଙ୍କ ନାଁ

ମାର୍ଚ୍ଚ ମାସରେ ଥରୁଟିଏ ଆସିନାହାନ୍ତି ବୁର୍ଲା ମେଡିକାଲ; ଡାକ୍ତରଙ୍କ ବିନା ରେଫରରେ ଏସସିବି ଆସିଥିବା ସୂଚନା

673

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ନେଇ ଆସିଛି ଚାଂଚଲ୍ୟକର ଖବର । ଯାହା ଆପଣଙ୍କୁ ବି ଚକିତ କରିଦେବ । ବୁର୍ଲା ଭୀମସାରରେ ମାର୍ଚ୍ଚ ମାସରେ ଚିକିତ୍ସା ନେଇ ରେଜିଷ୍ଟ୍ରରରେ ନାହିଁ ହାଇଦରଙ୍କ ନାଁ । ମାର୍ଚ୍ଚ ମାସରେ ଥରୁଟିଏ ସେ ଆସିନାହାନ୍ତି ବୁର୍ଲା ମେଡିକାଲ । ଓପିଡି, ସର୍ଜରୀ, ନ୍ୟୁରୋଲଜି କିଂବା ମେଡିସିନ୍ କୌଣସି ବିଭାଗରେ ହାଇଦରଙ୍କ ନାଁ ନାହିଁ । ଶେଷ ଥର ପାଇଁ ଡିସେମ୍ୱର ୧୨ ତାରିଖରେ ବୁର୍ଲା ମେଡିକାଲ ଆସିଥିଲେ ହାଇଦର । ସେତେବେଳେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଥିଲେ ସୁବିଧା ହେଲେ ଏସସିବି ମେଡିକାଲ ଯାଇ ଗୋଟେ ଥର ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

କିନ୍ତୁ ବଡ କଥା ହେଉଛି ଡାକ୍ତର ଜଣକ ତାଙ୍କୁ ବିଦ୍ଧିବଦ୍ଧ ଭାବେ କଟକ ରେଫର କରିନଥିଲେ । ଆଉ ମାର୍ଚ୍ଚ ୨୩ ତାରିଖରେ ସିଧାସଳଖ ତାଙ୍କୁ ସଂବଲପୁର ଜେଲରୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଜେଲରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ କନକନ୍ୟୁଜକୁ ସୂଚନା ମିଳିଛି । ନାଁ ଗୋପନରଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜଣେ କର୍ମଚାରୀ ।

ଏହାରି ଭିତରେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ସଂବଲପୁର ଏସପି । ସୁରକ୍ଷା ଦାୟିତ୍ୱରେ ଥିବା ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ଓ ୫ କନେଷ୍ଟବଳଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୫ ଜଣ କନେଷ୍ଟବଳ ହେଲେ ବୁଲୁବୁଲୁ ସାହୁ, ଦୀପକ ସାହୁ, ଏମଡି ମଉଷିମ, ଉମାକାନ୍ତ ବେହେରା ଏବଂ ସୁଧାଂଶୁ ମାଝୀ ।