ବିଦ୍ୟାଶ୍ରୀଙ୍କ ଡାଏରୀକୁ ନେଇ ଚର୍ଚ୍ଚା । କାହିିଁକି ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେଲେ, ଏଥିପାଇଁ କେଉଁମାନେ ଦାୟୀ । ଏବେ ପ୍ରଶ୍ନ, ଡାଏରୀରେ କାହା କାହାର ନାଁ ଲେଖିଛନ୍ତି ବିଦ୍ୟାଶ୍ରୀ

141

କନକ ବ୍ୟୁରୋ : ପାଂଚ ମାସ ପୂର୍ବରୁ ଜୁଲାଇ ମାସରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ବନିଥିଲା । ଏତେ ଦିନର ବ୍ୟବଧାନ ପରେ ବୁଧବାର ହଠାତ୍ ଆଉ ଏକ ବଡ ଖବର ଆସିଲା ଯେ ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫେସବୁକରେ ଲାଇଭ କରି ଏହି ଉଦ୍ୟମ କରିଥିଲେ ବିଦ୍ୟାଶ୍ରୀ ଏବଂ ନିଦ ବଟିକା ଖାଉଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ବିଦ୍ୟାଶ୍ରୀ କହୁଥିଲେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ତାଙ୍କୁ ଜାଣିଶୁଣି ଦାୟୀ କରାଯିବା ଘଟଣା ବାଧା ପହଁଚାଇଛି । ଯେଉଁଥିପାଇଁ ସେ ଏଭଳି ଚରମ ନିଷ୍ପତି ନେଇଛନ୍ତି । ଏଥିପାଇଁ ସେ କେତେ ଜଣଙ୍କୁ ଦାୟୀ କରିବା ସହ ତାଙ୍କର ସମ୍ପୂର୍ଣ୍ଣ ଅଭିଯୋଗକୁ ଏକ ଡାଏରୀରେ ଲେଖିଥିବା କହିଛନ୍ତି ।

ଫେସବୁକ ଲାଇଭରେ କାନ୍ଦି କାନ୍ଦି ବିଦ୍ୟାଶ୍ରୀ ଏହି ଡାଏରୀ ଦେଖାଇ କହୁଥିଲେ ଏଥିରେ ସବୁ ଲେଖାଯାଇଛି । ସେ କାହିିଁକି ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେଲେ, କେଉଁମାନେ ଏଥିପାଇଁ ଦାୟୀ , ଏଭଳି ନିଷ୍ପତି ପଛର କାରଣ କଣ, ଏସବୁ କଥା କୁଆଡେ ଏହି ଡାଏରୀରେ ଲେଖିଛନ୍ତି ବିଦ୍ୟାଶ୍ରୀ ।

ଲାଇଭ ଭିଡିଓରେ ବିଦ୍ୟାଶ୍ରୀଙ୍କ ଭାବଭଙ୍ଗିରୁ ଲାଗୁଥିଲା ସୋସିଆଲ ମିଡିଆରେ ଟ୍ରୋଲ, କିମ୍ବା ସମାଲୋଚନା ପାଇଁ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଛନ୍ତି । ଆଉ ସବୁ କଥା ସେ ଡାଏରୀରେ ଲେଖିଛନ୍ତି ବୋଲି କହିଛନ୍ତି । ଏହି ଘଟଣା ପରେ ଏବେ ଚର୍ଚ୍ଚାକୁ ଆସିଛି ବିଦ୍ୟାଶ୍ରୀଙ୍କ ଡାଏରୀ । ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ କେଉଁମାନେ ମାନସିକ ନିର୍ଯାତନା ଦେଉଥିଲେ , ଦୀର୍ଘ ପାଂଚ ମାସ ହେଲା ସେ କେଉଁ ପରିସ୍ଥିତି ଦେଇ ଗତି କରୁଥିଲେ ତାଙ୍କ ସହ କଣ ଘଟୁଥିଲା ସେସବୁର ଟିକିନିକ ତଥ୍ୟ ଏହି ଡାଏରୀରେ ସେ ଲେଖିଛନ୍ତି । ତାଙ୍କୁ କିଭଳି ପ୍ରତ୍ୟକ ଦିନ ବିଭିନ୍ନ ଉପାୟରେ ନିର୍ଯାତନା ଦିଆଯାଉଥିଲା ସେସବୁ ଏଥିରେ ଲେଖିଛନ୍ତି । ଡାଏରୀରେ କେତେଜଣଙ୍କ ନାଁ ମଧ୍ୟ ଲେଖିଛନ୍ତି ବିଦ୍ୟାଶ୍ରୀ ।

ବିଦ୍ୟଶ୍ରୀ କୁଆଡେ ତାଙ୍କ ଡାଏରୀରେ ଜଣେ ଯୁବତୀଙ୍କ ନାଁ ମଧ୍ୟ ନେଇଛନ୍ତି । ଏହି ଯୁବତୀ ଜଣଙ୍କ ଚୌଦ୍ୱାର ଅଂଚଳରେ ରହନ୍ତି । କୁହାଯାଉଛି ଏହି ଯୁବତୀ ଜଣଙ୍କ ବିଦ୍ୟାଶ୍ରୀଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ବିଦ୍ୟାଶ୍ରୀଙ୍କ ଭୂମିକାକୁ ନେଇ ସନ୍ଦେହ ବି ଉଠାଇଛନ୍ତିି ଏବଂ ଲଗାତାର ତାଙ୍କୁ ଟ୍ରୋଲ କରିଛନ୍ତି । ଏଭଳି ଟ୍ରୋଲ ବିଦ୍ୟାଶ୍ରୀଙ୍କୁ ପ୍ରବଳ ବ୍ୟଥିତ କରିଥିବା କୁହାଯାଉଛି ।

ସୋସିଆଲ ମିଡିଆରେ ବି ଅନ୍ୟମାନଙ୍କ ଭଳି ଏହି ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଅନେକ ସମୟରେ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହ ତାଙ୍କୁ ଆପତିଜନକ ଭାବେ ଟ୍ରୋଲ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତିି ବିଦ୍ୟାଶ୍ରୀ । ହେଲେ ମହିଳା ଜଣଙ୍କ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ସେ କେବଳ ନିଜର ପ୍ରତିକ୍ରିୟା ରଖନ୍ତି ।

ବିଦ୍ୟାଶ୍ରୀଙ୍କ ଏହି ଡାଏରୀ ସାମନାକୁ ଆସିବା ପରେ ଏବେ ଏଥିରେ ବିସ୍ତାର ଭାବେ କଣ ରହିଛି, ତାହା ଜାଣିବା ପାଇଁ ଉକ୍ରଣ୍ଠା ଦେଖା ଦେଇଛି । କେବଳ ସୋସିଆଲ ମିଡିଆରେ ଟ୍ରୋଲ କରିଥିବା ଲୋକଙ୍କୁ ସେ ଦାୟୀ କରିଛନ୍ତି ନା ଡାଏରୀରେ ଆଉ କିଛି ସତ ଲେଖିଛନ୍ତି ତାହା ହୁଏତ ପରେ ଜଣାପଡିବ ।