କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଦିନ ବିଧାନସଭା ଅଚଳ ପରେ, ତୃତୀୟ ଦିନରେ ସ୍ୱାଭାବିକ ହୋଇଛି ଗୃହ । ପୂର୍ବାହ୍ନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିବା ପରେ, ଅପରାହ୍ନରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ହୋଇଛି ଆଲୋଚନା । ଅଧିବେଶନ ଆରମ୍ଭ ହେବା ଦିନରୁ, ସବୁ କାର୍ଯ୍ୟକୁ ବାତିଲ କରି ନବ ଦାସଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋସନ ଆଣିଥିଲେ ବିରୋଧୀ ଦଳର ସଦସ୍ୟ । ଆଉ ୨ ଧରି ଦିନ ହଙ୍ଗାମା କରିଥିଲେ । ତାପରେ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।

Advertisment

ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରି ଆସୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଧାନସଭାରେ ଗର୍ଜିଛନ୍ତି । ତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଆଉ ଶୂନ୍ୟକାଳରେ ସରକାରଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଯଦି ସେ ଅପରାଧୀ ତେବେ ତାଙ୍କ ନାଁରେ ଚାର୍ଜସିଟ୍ କରନ୍ତୁ । ସେ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ଏଥିସହ ତାଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଶାସକ ଦଳର ନେତା କହୁଥିବାରୁ ଆପତି ଉଠାଇଛନ୍ତି । ଏବଂ ଶାସକ ଦଳ ବିଧାୟକଙ୍କ ନାଁରେ କେତେ ମାମଲା ରହିଛି ତାର ଏକ ଲମ୍ବା ତାଲିକା ଦେଇଛନ୍ତି । କହିଛନ୍ତି, ୪୬ ଜଣଙ୍କ ନାଁରେ ରହିଛି ୧୮୦ଟି କେସ୍ । ହେଲେ, ସେ ଯଦି କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା. କିଏ ପ୍ରମାଣ କରିଦେବ ତାହେଲେ ସେ ରାଜନୈତିକ ଜୀବନରୁ ଓହରି ଯିବେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଅମୂଳକ । ଅଭିଯୋଗର କୌଣସି ସତ୍ୟତା ନାହିଁ । ତଦନ୍ତ ପରେ ସତ ସାମ୍ନାକୁ ଆସିବ । ତେବେ ଗୃହରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଆଲୋଚନା ପରେ, ବୟାନବାଜି ଶେଷ ହେବ ନା ଆଗକୁ ଆକ୍ଷେପ- ପ୍ରତିଆକ୍ଷେପ ଜାରି ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର ।