ସରିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ : ସଂଘ କହିଲା ସକରାତ୍ମକ ଆଲୋଚନା ହୋଇଛି; ଲିଖିତ ପ୍ରତିଶ୍ରୁତି ପରେ ନିଆଯିବ ନିଷ୍ପତ୍ତି
କନକ ବ୍ୟୁରୋ : ସରିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ । ସଂଘ କହିଲା ସକରାତ୍ମକ ଆଲୋଚନା ହୋଇଛି । ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରବିବାର ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ସରକାର ଆଲୋଚନାକୁ ଡାକିଲେ ନାହିଁ କି ଉଠାଯାଇଥିବା ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ । ବସ ମାଲିକଙ୍କ ଦାବି ହେଉଛି, ନୂଆ ବସ ଅଣାନଯାଇ ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ ।
‘ଲକ୍ଷ୍ମୀ’ ବସ ଚାଲିବାକୁ ଥିବା ଅଞ୍ଚଳରେ ସମୟ ନିର୍ଘଣ୍ଟ ସ୍ଥିର ହେଉ । ସେପଟେ ବସ ସଂଘର ଦାବିକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ କହିଛି, ନିର୍ବାଚନ ପାଖେଇ ଆସିଲେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରନ୍ତି । ଏଥିରେ କିଛି ନୂତନତ୍ୱ ନାହିଁ । କେବଳ ବସ ମାଲିକ ସଂଘ ନୁହେଁ ଅନେକ ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଏହାର ଅର୍ଥ ସମସ୍ତେ ଅସୁରକ୍ଷିତ ।