କନକ ବ୍ୟୁରୋ : ସରିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ । ସଂଘ କହିଲା ସକରାତ୍ମକ ଆଲୋଚନା ହୋଇଛି । ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି ।

Advertisment

ରବିବାର ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ସରକାର ଆଲୋଚନାକୁ ଡାକିଲେ ନାହିଁ କି ଉଠାଯାଇଥିବା ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ । ବସ ମାଲିକଙ୍କ ଦାବି ହେଉଛି, ନୂଆ ବସ ଅଣାନଯାଇ ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ ।

‘ଲକ୍ଷ୍ମୀ’ ବସ ଚାଲିବାକୁ ଥିବା ଅଞ୍ଚଳରେ ସମୟ ନିର୍ଘଣ୍ଟ ସ୍ଥିର ହେଉ । ସେପଟେ ବସ ସଂଘର ଦାବିକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ କହିଛି, ନିର୍ବାଚନ ପାଖେଇ ଆସିଲେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରନ୍ତି । ଏଥିରେ କିଛି ନୂତନତ୍ୱ ନାହିଁ । କେବଳ ବସ ମାଲିକ ସଂଘ ନୁହେଁ ଅନେକ ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଏହାର ଅର୍ଥ ସମସ୍ତେ ଅସୁରକ୍ଷିତ ।