ବିଜେଡି-ବିଜେପି ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା । ଦିଲ୍ଲୀ ଉପରେ ସମସ୍ତଙ୍କ ନଜର । ୨୪ ରୁ ୪୮ ଘଣ୍ଟା ଭିତରେ ସ୍ପଷ୍ଟ ହୋଇପାରେ ପୂରା ଚିତ୍ର

319

କନକ ବ୍ୟୁରୋ: ରାଜ୍ୟରେ ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ୪୮ ଘଣ୍ଟା ନ ପୁରୁଣୁ ବିଜେପି ରାଜ୍ୟ ସଭାପତି ଓ ନିର୍ବାଚନ ପ୍ରଭାରୀଙ୍କ ପୁଣି ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ହାୱା ଦେଇଛି । ମେଣ୍ଟ ନେଇ ସାରା ରାଜ୍ୟ ଅକ୍ଷୋ କରି ରହିଛି । ଏହି ସମୟରେ ଦିଲ୍ଲୀର ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।

  • ୨୪ ଘଣ୍ଟାରେ ଆସିବ କି ସ୍ପଷ୍ଟ ଚିତ୍ର?
  • ଦିଲ୍ଲୀ ଉପରେ ସମସ୍ତଙ୍କ ନଜର

ଦିନ ଗଡୁଛି, ସସପେନ୍ସ ବଢୁଛି । ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନେଇ ଦ୍ୱନ୍ଦ୍ୱ ବଢୁଛି । ସପ୍ତାହେ ହୋଇଗଲା ଆସୁନି ସ୍ପଷ୍ଟ ଚିତ୍ର । କର୍ମୀଙ୍କଠାରୁ ଆରମ୍ଭ କରି ଦୁଇଦଳର ନେତାଙ୍କ ଛାତି ଧଡଧଡ । ମେଣ୍ଟ ନେଇ କି ନିଷ୍ପତ୍ତି ହେବ ତାକୁ ନେଇ ସାରା ରାଜ୍ୟ ଅପେକ୍ଷା କରିଛି । ବିଜେପି ନେତାଙ୍କୁ ୧୦ ଦିନରେ ୩-୩ଥର ଦିଲ୍ଲୀ ଡାକରା ହୋଇଛି । ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ବୈଠକ ବସିଛି । ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ସମ୍ଭାବ୍ୟ ମେଣ୍ଟ ଓ ସିଟ୍ ଦ୍ୱନ୍ଦ୍ୱ ଦୂର ପାଇଁ ବୈଠକରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି ।

ତେବେ ମନମୋହନ ସାମଲ ଶୁକ୍ରବାର ରାତିରେ ଦିଲ୍ଲୀରୁ ଫେରିଥିଲେ । ଆଉ ଏହାର ୪୮ ଘଣ୍ଟା ନ ପୁରୁଣୁ ରବିବାର ସନ୍ଧ୍ୟାରେ ଡାକରା ପାଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତେମାରଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଆଉ ଅଚାନକ ଦିଲ୍ଲୀ ଡକରା ନେଇ ଚର୍ଚ୍ଚା ବି ଜୋର ଧରିଛି । ଆଉ ଏପଟେ ମେଣ୍ଟ ନେଇ ନେତା ଯେତିକି ଦ୍ୱନ୍ଦ୍ୱରେ ଅଛନ୍ତି, କର୍ମୀ ବି ସେତିକି ଦୋଛକିରେ ରହିଛନ୍ତି । ବିଜେପି ନେତା ବି ମାପିଚୁପି ଉତ୍ତର ରଖୁଛନ୍ତି ।

ପୂର୍ବତନ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଆମେ ଶୃଙ୍ଖଳିତ ଦଳର କାର୍ଯ୍ୟକର୍ତ୍ତା । ଦଳ ଯାହା ନିଷ୍ପତ୍ତି ନେବ ତାକୁ ଗ୍ରହଣ କରାଯିବ । ବନ୍ଧୁକରୁ ଶେଷ ଗୁଳି ନସରିବା ଯାଏଁ ଯୁଦ୍ଧ ସରିନି । ବନ୍ଧୁକ ଏବେ ଖାଲି ହୋଇନାହିଁ । ସେହିଭଳି ଓଡିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟମନ୍ତ୍ରୀ ସତ୍ୟପାଲ ସିଂ ବାଘେଲ ବି କହିଛନ୍ତି, ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ୪୦୦ ପାର୍ କରିବା ଲକ୍ଷ୍ୟରେ ରହିଛି ଏନଡିଏ ।

କୁହାଯାଉଛି, ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହେବ । ତେଣୁ ମେଣ୍ଟ ନେଇ ଆସନ୍ତା ୨୪ରୁ ୪୮ ଘଣ୍ଟାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଚର୍ଚ୍ଚା ହେଉଛି, ଯେକୌଣସି ମୂୂହୂର୍ତ୍ତରେ ଦଳର ଶୀର୍ଷ ନେତୃତ୍ୱ ଓଡିଶା ଆସିପାରନ୍ତି ।