ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ମହାରାଣୀ କହିଲେ, ଗଠନ କରାଯାଉ ବିଭାଗ; ଲୋକଙ୍କୁ କରାଯାଉ ସଚେତନ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଟ୍ୱିଟ, କହିଲେ, ଶିମିଳିପାଳରେ ନିଆଁ ଏସିଆ ଭଲ ସଙ୍କେତ ନୁହେଁ

109

କନକ ବ୍ୟୁରୋ : ବିପଦରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏତେ ବଡ଼ ଅଂଚଳରେ ନିଆଁ ଲାଗିଛି ଯେ, ଏହାକୁ କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ ହୋଇ ସାରିଲାଣି ।

ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲ ସମେତ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଆଦି ରେଞ୍ଜରେ ମାଡିଚାଲିଛି ନିଆଁ । ଯାହାଫଳରେ ଜଙ୍ଗଲ ଆଖପାଖ ଅଂଚଳରେ ଥିବା ଗାଁ ଗୁଡିକ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ନିଆଁ ଲାଗିବା କାରଣରୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ଆସି ଏହି ଜଙ୍ଗଲରେ ବସବାସ କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି । ଏପଟେ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ମୟୂରଭଞ୍ଜ ରାଜ ପରିବାର ।

ସେପଟେ ଶିମିଳିପାଳ ଜଙ୍ଗଳ ଜଳିବା ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଘଟଣା ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ପ୍ରତାପ । ଗୋଟିଏ ସପ୍ତାହେ ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିଥିଲେ ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ନ ହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।