କରୋନା ପାଇଁ ବଡ଼ କସରତ । ମୁକାବିଲା ପାଇଁ କେନ୍ଦ୍ର ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା । ସ୍କୁଲ ପିଲାଙ୍କୁ ଜ୍ୱର-କାଶ ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ପରାମର୍ଶ ।

369

କନକ ବ୍ୟୁରୋ : ଚୀନରୁ ଫେରିଥିବା ଫୁଲବାଣୀ ଛାତ୍ରଙ୍କୁ ଆଶ୍ୱସ୍ତି । କରୋନା ଭାଇରସ ସଂକ୍ରମିତ ହୋଇନାହାନ୍ତି ଫୁଲବାଣୀର ଏହି ଛାତ୍ର । ପୁନେକୁ ପଠାଯାଇଥିବା ତାଙ୍କ ରକ୍ତ ନମୁନାରୁ କରୋନା ଭାଇରସ୍ ନେଗେଟିଭ୍ ରିପୋର୍ଟ ଆସିଛି । ସେପଟେ ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ଶଯ୍ୟା ଓ ରାଜ୍ୟର ଗୋଟିଏ ମୁଖ୍ୟ ଡାକ୍ତରଖାନାରେ ୩୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ୱାର୍ଡ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାରି ଭିତରେ କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।

କରୋନା ମୁକାବିଲା ପାଇଁ ବଡ଼ ପ୍ରସ୍ତୁତି । ସନ୍ଦିଗ୍ଧଙ୍କ ଉପରେ ରହିଛି କଡ଼ା ନଜର । ଚୀନରେ ବଢୁଥିବା ମୃତ୍ୟୁ ସଂଖ୍ୟା ଏବଂ ଭାରତରେ ଚିହ୍ନଟ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ଓଡ଼ିଶାରେ କରୋନା ମୁକାବିଲା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଆଉ ଏହି ଆଲୋଚନାରେ-

-ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ୫ ଶଯ୍ୟାର ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର
-ରାଜ୍ୟର ଏକ ମୁଖ୍ୟ ହସ୍ପିଟାଲରେ ୩୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି 

ସେହିପରି ବିମାନ ବନ୍ଦର ଉପରେ ରହିଛି କଡା ନଜର । ୪୧ ଟି ବିମାନ ବନ୍ଦରକୁ କେନ୍ଦ୍ର ସରକାର ସ୍କ୍ରିନିଂ କରୁଛନ୍ତି । ଏଥିପାଇଁ ଥର୍ମାଲ କ୍ୟାମେରା ମଧ୍ୟ ଲଗାଯାଇଛି । କଟକ ଏସସିବିରେ ବର୍ତ୍ତମାନ କରୋନା ମୁକାବିଲା ପାଇଁ ୮୪ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିବା ବେଳେ ଆଗକୁ ଏହାକୁ ୧୫୦ ଶଯ୍ୟାକୁ ବୃଦ୍ଧି କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।

ଓଡିଶାରେ ବର୍ତମାନ ସୁଦ୍ଧା ୧୩ ଜଣ ଚାଇନା ଓ ଜଣେ ଥାଇଲାଣ୍ଡ ଲୋକଙ୍କ ସହ ସଂପର୍କରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏସସିବିରେ ଭର୍ତି କରାଯାଇଛି । ଅନ୍ୟ ମାନଙ୍କୁ ହୋମ୍ ସର୍ଭିଲାନ୍ସରେ ରଖାଯାଇଛି । ୬ ଜଣଙ୍କ ନମୂନା ଯାହା ପୁଣେ ପଠା ଯାଇଥିଲା ସେଥିରୁ ୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଚୀନରୁ ଫେରିଥିବା ଫୁଲବାଣୀର ଡାକ୍ତରୀ ଛାତ୍ର, କରୋନା ଭାଇରସରେ ସଂକ୍ରମିତ ହୋଇନଥିବା ପୁନେରୁ ଆସିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନାକୁ ନେଇ ଆଡଭାଇଜରୀ ଜାରି କରାଯାଇଛି । ଆଗକୁ ପରୀକ୍ଷା ଋତୁ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ଆଡଭାଇଜରୀକୁ ସ୍କୁଲ ମଧ୍ୟ ପାଳନ କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।

ଆଉ ଏସବୁ ଭିତରେ ଓଡ଼ିଶାରେ ଚୀନରୁ ଫେରିଥିବା କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସି ନାହିଁ । ତେବେ କିଛି ଲୋକଙ୍କୁ ସର୍ଭିଲେନ୍ସରେ ରଖାଯାଇଥିବା ବେଳେ ଜଣେ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।