କନକ ବ୍ୟୁରୋ: ରାସ୍ତା ସେପଟେ ସବୁ ସୁବିଧା ଓ ଏପଟେ କିନ୍ତୁ ସବୁ ଅସୁବିଧା । ଗୋଟେପଟେ କୋଠାଘର ଆଉ ଗୋଟେପଟେ ଝାଟିମାଟିର ନୂଆଣିଆ ବସା । ସମସ୍ୟା ହେଉଛି ରାସ୍ତା ସେପଟେ ଥିବା ଇଲାକା ଏନଏସିର ହୋଇଥିବାବେଳେ ଏପଟ ଇଲାକା ପଞ୍ଚାୟତ, ଯାହା ସବୁବେଳେ ଅବହେଳିତ । ଏଠିକାର ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହିଁ । ନିର୍ବାଚନ ବେଳେ ପୁଳା ପୁଳା ପ୍ରତିଶ୍ରୁତି ହେଲେ ଥରେ ଜିତିଗଲା ପରେ କାହାରି ଦର୍ଶନ ନାହିଁ । ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ରେମୁଣା ବ୍ଲକ ହରିପୁର ପଞ୍ଚୟତରେ ।
ନେତାମନ୍ତ୍ରୀଙ୍କ ଆଖିରେ ପଡୁନି ହରିପୁର ପଞ୍ଚାୟତ ଲୋକଙ୍କ ଦୁର୍ଦ୍ଦଶା । ବର୍ଷ ବର୍ଷ ଧରି ଏଠିକାର ଲୋକେ ଗରିବୀ ଭିତରେ ଦିନ କାଟୁଛନ୍ତି । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡେ ନାହିଁ । ଝାଟିମାଟି କାନ୍ଥ ଉପରେ ପଲିଥିନ୍ ଛପର । ବାରମ୍ବାର ଝଡ ବାତ୍ୟାରେ ମାଟିରେ ମିଶିଯାଏ ଏହି ଘର । କଷ୍ଟେମଷ୍ଟେ ପୁଣି ଠିଆ କରନ୍ତି ଏହି ମାଟିର ବସାକୁ । ଏମିତି କେତେ ବର୍ଷ ଦୁର୍ଦ୍ଦଶାରେ କଟିଲାଣି ହରିପୁର ପଞ୍ଚାୟତ ବାସିନ୍ଦାଙ୍କ ଦିନ । ହେଲେ କୌଣସି ନେତା ମନ୍ତ୍ରୀଙ୍କ ଦୃଷ୍ଟି ପଡୁନାହିଁ । ବାତ୍ୟା , ବନ୍ୟା ଆସିଲେ ନେତାଏ ଟିକେ ବୁଲି ଦେଇ ଯାଆନ୍ତି କୋଠା ଘର ଖଣ୍ଡେ କରିଦେବେ ବୋଲି କୁହନ୍ତି । ହେଲେ ଦିଗ ବଦଳିଲେ କଥା ବି ପାଶୋରି ଦିଅନ୍ତି ଏହି ନେତା, ମନ୍ତ୍ରୀ । ସତେ ଯେମିତି ପଞ୍ଚାୟତରେ ରହି ସେମାନେ ପାପ କରିଛନ୍ତି । ନିଜ ଭିତରର ରାଗକୁ ଓଗାଳିଛନ୍ତି ପଞ୍ଚାୟତର ଭୋଟର ।
ରାସ୍ତା ଆରପଟେ ଏନଏସିର ସବୁ ଲୋକଙ୍କୁ ବିଜୁ ପକ୍କା ଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ କୋଠା ଘର ମିଳିଥିବାବେଳେ ଏହି ପଞ୍ଚାୟତ ଲୋକଙ୍କ ପାଇଁ କିନ୍ତୁ କିଛି ନାହିଁ ।