ମାଓ ସଙ୍ଗଠନରେ ଭେଦଭାବ । ଓଡିଶା କ୍ୟାଡର ମାଓବାଦୀଙ୍କୁ ନା ମିଳୁଛି ପଦୋନ୍ନତି, ନା ମିଳୁଛି ଉଚିତ ସ୍ୱାସ୍ଥ୍ୟ ସେବା ।

145

କନକ ବ୍ୟୁରୋ: ମାଓ ସଙ୍ଗଠନରେ ଭେଦଭାବ । ଓଡିଶା କ୍ୟାଡର ମାଓବାଦୀଙ୍କୁ ନା ମିଳୁଛି ପଦୋନ୍ନତି, ନା ମିଳୁଛି ଉଚିତ ସ୍ୱାସ୍ଥ ସେବା । ପୁଲିସ ଡିଜିଙ୍କ ନିକଟରେ ଛତିଶଗଡ କ୍ୟାଡର ର ମାଓ ନେତ୍ରୀ ରାମେ ପଡିଆମି ଓରଫ ସବିତାଙ୍କ ଅଭିଯୋଗ ଏବେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।  ପଡିଆମିଙ୍କ ଅଭିଯୋଗ ପରେ ମାଓ ସଙ୍ଗଠନ ରେ ତେଲେଗୁ କ୍ୟାଡରଙ୍କ ଦୌରାତ୍ମ୍ୟ କଥା ପୁଣି ସାମ୍ନାକୁ ଆସୁଛି ଆସିଛି । ପ୍ରଶ୍ନ ଉଠୁଛି, ସତରେ କଣ ଓଡିଆ କ୍ୟାଡରକୁ ଅଣଦେଖା କରୁଛନ୍ତି ମାଓ ସଙ୍ଗଠନ ।

ମାଓବାଦୀ କ୍ୟାଡରରେ ସବିତାଙ୍କ ପ୍ରମୋଶନ ହେଲାନାହିଁ । ସେଥିପାଇଁ  ମାଓ ସଙ୍ଗଠନ ଛାଡିଦେଲେ ସବିତା । ଏହି ମହିଳା ଜଣକ ଛତିଶଗଡ କ୍ୟାଡରର ମାଓବାଦୀ । ନିୟମିତ ଭାବେ ଏହି ସଙ୍ଗଠନଗୁଡିକରେ ପ୍ରମୋଶନ ହୁଏ ।  କିନ୍ତୁ ୨୦୦୫ରୁ ୨୦୨୧ ଯାଏଁ ପ୍ରାୟ ୧୬ ବର୍ଷ କାମ କରିବା ପରେ ବି ସବିତାଙ୍କୁ ପ୍ରମୋଶନ ଦିଆଯାଇନଥିଲା ।

ମାଓ ସଙ୍ଗଠନକୁ ଆସିବା ପରେ ପ୍ରଥମେ ସେମାନେ ମିଲିସିଆ କିମ୍ବା ଜନନାଟ୍ୟ ମଣ୍ଡଳୀର ସଦସ୍ୟ ହୁଅନ୍ତି । ପ୍ରାୟ ୨ ବର୍ଷ କାମ ପରେ  ସେମାନଙ୍କ ପ୍ରଦର୍ଶନ ଅନୁସାରେ ପାର୍ଟି ମେମ୍ବର ବା ଦଳର ସଦସ୍ୟତା ପାଆନ୍ତି ।  ପାର୍ଟି ମେମ୍ବର ଭାବରେ ୨-୩ ବର୍ଷ କାମ କରିବା ପରେ ସେମାନଙ୍କ ପ୍ରଦର୍ଶନକୁ ଯାଂଚ କରାଯାଇ ଡିଭିଜନାଲ କମିଟି ମେମ୍ବର ବା ଡିସିଏମ ଭାବରେ ପ୍ରମୋଶନ ମିଳେ । ଡିସିଏମ ଭାବେ କିଛିବର୍ଷ କାମ କରିବା ପରେ ପୁଣି ଜୋନାଲ କମିଟିକୁ ପ୍ରମୋଟ କରାଯାଏ । ଏହାପରେ ତାଙ୍କର ବିଭିନ୍ନ ଅପରେସନରେ ପ୍ରଦର୍ଶନକୁ ମାପକାଠି ଭାବେ ଧରି ଷ୍ଟେଟ କମିଟି ବା ସମ୍ପାଦକ ପଦବୀକୁ ପ୍ରମୋଶନ ମିଳେ । ଯେଉଁମାନେ ସମ୍ପାଦକ ଭାବରେ ଭଲ କାମ କରନ୍ତି, ସେମାନଙ୍କୁ କେନ୍ଦ୍ରୀୟ କମିଟି ସଦସ୍ୟର ପାହ୍ୟା ମିଳିଥାଏ । ଏହି ରାଙ୍କ ଅନୁସାରେ ସେମାନଙ୍କୁ ହତିଆର ଉପଲବ୍ଧ କରାଯାଏ ଏବଂ ତାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅନୁରୂପ ଭାବେ ବଢାଇଦିଆଯାଏ ।