ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ବଡ଼ ସଫଳତା । ନୂଆ ପ୍ରଜାତିର ପ୍ରୋବାୟୋଟିକ୍ ଆବିଷ୍କାର । ଭଲ କରିବ ରୋଗ, ଶରୀରକୁ ଦେବ ପୁଷ୍ଟି

194

କନକ ବ୍ୟୁରୋ: ଭୁବନେଶ୍ୱରର ଜୀବନ ବିଜ୍ଞାନ ପ୍ରତିଷ୍ଠାନ, ଆଇଏଲଏସକୁ ଏକ ବଡ ସଫଳତା ମିଳିଛି । ଏହି ଅନୁଷ୍ଠାର ବୈଜ୍ଞାନିକ ଏକ ଅଣୁଜୀବ ଆବିଷ୍କାର କରିଛନ୍ତି । ଏହା ଶରୀରର ଅନେକ ରୋଗ ଭଲ କରିବା ସହ ଶରୀରକୁ ପୁଷ୍ଟି ଯୋଗାଇଦେବାରେ ସହାୟକ ହେବ ବୋଲି କୁହାଯାଉଛି ।

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ୍ ବା ଜୀବ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏମିତି ଏକ ପ୍ରୋବାୟୋଟିକ ବା ଅଣୁଜୀବ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି, ଯାହା ଅନେକ ପ୍ରକାର ରୋଗ ଭଲ କରିବା ସହ ଶରୀରକୁ ପୁଷ୍ଟି ଯୋଗାଇବାରେ ସକ୍ଷମ ହେବ । ଏହି ନୂଆ ପ୍ରୋବାୟୋଟିକ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଠାରୁ ମିଳିଛି । ଏହି ଅଣୁଜୀବ ସେବନ କଲେ ଉଭୟ ମଣିଷ ଓ ଗୃହପାଳିତ ପଶୁଙ୍କୁ ଉପକାର ମିଳିବ ।

ନୂଆ ଅଣୁଜୀବରୁ କ’ଣ ମିଳିବ ଉପକାର?

  • ବ୍ଲଡ ପ୍ରେସର, ମେଦବୃଦ୍ଧି, ତରଳ ଝାଡ଼ା
  • ଆଦି ରୋକିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି
  • ତିନି ବର୍ଷ ତଳେ ଆରମ୍ଭ ହୋଇଥି୍ଲା ଏହି ଗବେଷଣା
  • ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ଡକ୍ଟର ଅଜୟ ପରିଡ଼ାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଅନୁଧ୍ୟାନ
  • ବିଭିନ୍ନ ଜନଜାତିର ଖାଦ୍ୟାଭ୍ୟାସ, ସଂସ୍କୃତିକୁ ଦେଖି ଏହି ଗବେଷଣା ହୋଇଥିଲା
  • ଅନେକ ନମୂନା ଆଣି ଅତ୍ୟାଧୁନିକ ଲ୍ୟାବରେ ପରୀକ୍ଷା କରାଯାଇଥିଲା
  • ଉପଯୋଗୀ ପ୍ରୋବାୟୋଟିକ ଆବିଷ୍କାର ହେବା ପରେ ଏହାର ଗୁଣଗୁଡ଼ିକୁ ତର୍ଜମା କରାଯାଇଥିଲା

ଆଦିବାସୀମାନଙ୍କ ଖାଦ୍ୟାଭ୍ୟାସ ଓ ରୋଗ ପ୍ରତିରୋଧ ଶକ୍ତି ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ । ତେଣୁ ସେମାନଙ୍କ ଠାରୁ ନମୂନା ସଂଗହ କରି ଲ୍ୟାବରେ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ନୂଆ ଅଣୁଜୀବର ସନ୍ଧାନ ପାଇଥିଲେ ଗବେଷକ । ଗବେଷଣାରୁ ଜଣାପଡିଛି, ଏହି ନୂତନ ପ୍ରଜାତିର ଅଣୁଜୀବ ନିୟମିତ ହେଉଥିବା ରୋଗଗୁଡିକର ପ୍ରତିରୋଧ ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି । ଆଗାମୀ ଦିନରେ ଏହି ଅଣୁଜୀବକୁ ଟାବଲେଟ କିମ୍ବା ପୁଷ୍ଟିଯୁକ୍ତ ଖାଦ୍ୟ ହିସାବରେ କିଭଳି ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯିବ, ସେନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଗବେଷକ ।

ଜୀବ ବିଜ୍ଞାନ ପ୍ରତିଷ୍ଠାନର ଏହି ଆବିଷ୍କାର ମାନବ ସମାଜ ପାଇଁ ବରଦାନ ପାଲଟିବ ବୋଲି ଆଶା କରାଯାଉଛି । ଏହି ପ୍ରୋବାୟୋଟିକ୍ର ଲୋକଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ ପ୍ରଭାବ ପକାଇବ ।