କନକ ବ୍ୟୁରୋ : ଔଷଧ ବ୍ୟବସାୟର ଗୋଲକଧନ୍ଦାରେ ଫସି ଛଟପଟ ହେଉଛନ୍ତି ଏମ୍‌ସ ରୋଗୀ। ସରକାରୀ ବ୍ୟବସ୍ଥା ଅନୁଯାୟୀ ନିଃଶୁଳ୍କ, ରିହାତି ଔଷଧର ଲାଭରୁ ଅଧିକାଂଶ ବଞ୍ଚିତ। କ୍ୟାମ୍ପସରେ ଥିବା ଦୋକାନରୁ ଅଧିକାଂଶ ଔଷଧ ମିଳୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ରୋଗୀ ବାହାରୁ ଚଢ଼ା ଦରରେ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏମ୍‌ସ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ କାହିଁକି ଡାକ୍ତରଖାନାର ଗରିବ ରୋଗୀଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଏମ୍‌ସ ଭୁବନେଶ୍ୱରରେ ଦାରିଦ୍ର୍ୟ ସୀମାରେଖା ତଳ ରୋଗୀଙ୍କ ପାଇଁ ରହିଛି ଅମ୍ରିତ ଫାର୍ମାସି ଜରିଆରେ ନିଃଶୁଳ୍କ ଔଷଧ ପ୍ରଦାନର ବ୍ୟବସ୍ଥା। ଅନ୍ୟ ରୋଗୀମାନଙ୍କୁ ଔଷଧର ପ୍ରକୃତ ମୂଲ୍ୟରୁ ୩୨ରୁ ୪୦ ପ୍ରତିଶତ ମଧ୍ୟରେ ରିହାତିରେ ଔଷଧ ବିକ୍ରିର ନିର୍ଦେଶ ରହିଛି। ମାତ୍ର ଏହି କ୍ୟାମ୍ପସରେ ଥିବା ଔଷଧ ଦୋକାନ ହେଉ କି ଅମ୍ରିତ ଫାର୍ମାସି, କେଉଁଠି ମଧ୍ୟ ରୋଗୀଙ୍କୁ ଆବଶ୍ୟକତା ଅନୁସାରେ ଔଷଧ ମିଳୁନି। ଗୋଡ଼ ଭାଙ୍ଗି ଯାଇଥିବାରୁ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟ କହିଛନ୍ତି, ତାଙ୍କ ଭାଇ ପାଇଁ ଡାକ୍ତର ଯେତିକି ଔଷଧ ଲେଖିଥିଲେ, ସେଥିରୁ ଅଧିକାଂଶ ମିଳିଲା ନାହିଁ। ଏଥିଯୋଗୁଁ ସେ ୮ହଜାର ଟଙ୍କାର ଔଷଧ ବାହାରୁ କିଣିଥିଲେ। ନ୍ୟୁରୋ ସର୍ଜରି ବିଭାଗରେ ୧୪ ବର୍ଷର ପୁଅକୁ ଭର୍ତ୍ତି କରିଥିବା ଜଣେ ବ୍ୟକ୍ତି କହିଛନ୍ତି, ତାଙ୍କ ପୁଅର ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ଔଷଧ ଲେଖି ଦେଇଥିଲେ। ସେ ପ୍ରେସକ୍ରିପସନ୍‌ ଅନୁଯାୟୀ, ଅମ୍ରିତ ଫାର୍ମାସିରୁ ଔଷଧ ଆଣିଲେ ମାତ୍ର କୌଣସି ଗୋଟିଏ ମଧ୍ୟ ଉପଯୋଗୀ ନଥିବା ଦର୍ଶାଇ ଡାକ୍ତର ରଖିଦେଲେ। ବାହାରୁ ପ୍ରାୟ ୧୦ ହଜାର ଟଙ୍କାର ଔଷଧ କିଣିବାକୁ ପଡ଼ିଥିଲା।

ଦାରିଦ୍ର୍ୟ ସୀମାରେଖା ତଳ ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିବାରୁ ତାଙ୍କୁ ନିଃଶୁଳ୍କ ଔଷଧ ମିଳିବ ବୋଲି ଆଶା ଥିଲା। ମାତ୍ର ତାହା ହେଲା ନାହିଁ। ଗୁରୁତର ଅବସ୍ଥାରେ ଶିଶୁରୋଗ ବିଭାଗରେ ଭର୍ତ୍ତି ଜଣେ ରୋଗୀଙ୍କ ଅଭିଭାବକ କହିଛନ୍ତି, ତାଙ୍କୁ କେବଳ ଥରେ ମାତ୍ର କ୍ୟାମ୍ପସ‌। ରେ ଥିବା ଔଷଧ ଦୋକାନରୁ ଡାକ୍ତର ପ୍ରେସକ୍ରିପସନ୍‌ ଅନୁଯାୟୀ ଔଷଧ ମିଳିଥିଲା। ଏହାପରେ ସମୁଦାୟ ୮ଥର ଔଷଧ ବାହାରୁ କିଣିବାକୁ ପଡ଼ିଛି। ସମ୍ପର୍କୀୟମାନଙ୍କ କହିବା କଥା, ସେମାନେ ରାଜଧାନୀ ବାହାରୁ ଆସିଛନ୍ତି, ରାତିରେ ଅଚାନକ ଔଷଧ ଦରକାର ପଡ଼ିଥିଲେ ହେଁ କ୍ୟାମ୍ପସରେ ଥିବା ଦୋକାନରୁ ଔଷଧ ମିଳିଲା ନାହିଁ। ବାହାର ଦୋକାନ ବନ୍ଦ ଥିବାରୁ ଯେଉଁଭଳି ହଇରାଣ ହୋଇଛନ୍ତି, ତାହା କେବେ ଭୁଲିପାରିବେ ନାହିଁ। କ୍ୟାମ୍ପସରେ ଥିବା ଏହି ଦୋକାନରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସବୁ ଔଷଧ ଉପଲବ୍ଧ ରହିବା ଆବଶ୍ୟକ।

ଏଥିପାଇଁ ଡାକ୍ତର ଏବଂ ଦୋକାନୀଙ୍କ ମଧ୍ୟରେ ସମନ୍ବୟ ରହିଲେ ରୋଗୀ ଲାଭାନ୍ବିତ ହୁଅନ୍ତେ ବୋଲି ଅଧିକାଂଶ ରୋଗୀ କହିଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ଗୌରାଙ୍ଗ ମହାପାତ୍ର କହିଛନ୍ତି, ଏମ୍‌ସ ରୋଗୀଙ୍କୁ କ୍ୟାମ୍ପସରେ ଥିବା ଦୋକାନରୁ ଔଷଧ ନମିଳିବା ସାଧାରଣ ଘଟଣା ହୋଇଗଲାଣି। ଏହାର ବିଭିନ୍ନ କାରଣ ରହିଛି। ପ୍ରଥମତଃ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ଡାକ୍ତରଙ୍କୁ ଜେନେରିକ ମେଡିସିନ ଲେଖିବା ପାଇଁ ନିର୍ଦେଶ ରହିଛି। ମାତ୍ର ଡାକ୍ତରମାନେ ଅଧିକାଂଶ ସମୟରେ ବ୍ରାଣ୍ଡ ମେଡିସିନ୍‌ ଲେଖୁଛନ୍ତି। ଏଥିଯୋଗୁଁ ରୋଗୀଙ୍କୁ ଅଧିକ ମୂଲ୍ୟରେ ଔଷଧ କିଣିବାକୁ ପଡ଼ୁଛି। ଏଥିସହ ଏମ୍‌ସକୁ ଯେତେ ରୋଗୀ ଆସୁଛନ୍ତି, ସେହି ତୁଳନାରେ ଔଷଧ ଦୋକାନ ନଥିବାରୁ ଅଧିକାଂଶ ସମୟରେ ଏଭଳି ଅସୁବିଧା ଦେଖାଦେଉଛି।

କେବଳ ଶସ୍ତା ଔଷଧ ରଖୁଛନ୍ତି କ୍ୟାମ୍ପସର ଦୋକାନୀ: ଏମ୍‌ସ
ଏମ୍‌ସ ପକ୍ଷରୁ କୁହାଯାଇଛି, ବିପିଏଲ ରୋଗୀଙ୍କ ନିମନ୍ତେ ଅମ୍ରିତ ଫାର୍ମାସି, ଟେଣ୍ଡର୍‌ ଜରିଆରେ ମନୋନୀତ ଜଣେ ଦୋକାନୀ ଔଷଧ ବିକ୍ରି କରୁଛନ୍ତି। ସେମାନେ କେବଳ ଶସ୍ତା ଔଷଧ ରଖୁଛନ୍ତି। କିନ୍ତୁ ଏମ୍‌ସକୁ ଅଧିକାଂଶ ରୋଗୀ ଗୁରୁତର ଅବସ୍ଥାରେ ଆସୁଥିବାରୁ ସେହି ଔଷଧର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଡାକ୍ତରମାନେ ରୋଗୀଙ୍କ ରୋଗ, ସ୍ବାସ୍ଥ୍ୟଗତ ସ୍ଥିତି ଅନୁସାରେ ଔଷଧ ଲେଖନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍‌ ପ୍ରତି ସନ୍ଦେହ କରିବା ଉଚିତ ନୁହେଁ।