ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ହୃଷିକେଶ !! ୩ ଚକିଆ ଯାନରେ ଗାଁ କୁ ଗାଁ ବୁଲି ବେପାର କରୁଛନ୍ତି, ଭଲ ଦି ପଇସା ରୋଜଗାର ବି କରୁଛନ୍ତି

284

କନକ ବ୍ୟୁରୋ : ବଂଚିବା ଲାଗି କରୁଛନ୍ତି ସଂଘର୍ଷ । ଅନ୍ୟର ସାହାଯ୍ୟକୁ ଅପେକ୍ଷା ନକରି ଜୀବନ ଯୁଦ୍ଧରେ ଏକା ଏକା ସାଜିଛନ୍ତି ଯୋଦ୍ଧା । ନିଜକୁ କେବେ ଅକର୍ମଣ୍ୟ କି ଅସହାୟ ଭାବିନାହାନ୍ତି । କାରଣ ସେ ବେଶ ଭଲଭାବରେ ଜାଣିଛନ୍ତି ଆଜିର ଦୁନିଆରେ କେମିତି ବଂଚିବାକୁ ହୁଏ ଏକା ଏକା ।

କେନ୍ଦୁଝର ଜିଲା ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ହୃଷିକେଶ ସାହୁ । ବୟସ ୬୭ ଡେଇଁଲାଣି । ୨୮ ବର୍ଷ ତଳର ଏକ ଦୁର୍ଘଟଣା ପରେ ଦିବ୍ୟାଙ୍ଗ ହୋଇଗଲେ ହୃଷି । ସେ ସମୟରେ ଜମିବାଡି ଯାହା ଥିଲା ତାକୁ ବିକିରି ଟିକିରି କରି ଭଲ ହୋଇଥିଲେ ସତ କିନ୍ତୁ ଗୋଡ ଆଉ ଚଳିନଥିଲା । ବାପା ନାହାନ୍ତି ଘରର ଭେଂଡିଆ ପୁଅ ପଡିରହିଲା ବିଛଣାରେ । ଏକଥା ଚିନ୍ତା କରି ମହାଜନଠାରୁ କିଛି ଟଙ୍କା ଆଣି ମୁଢି ବେପାର ଆରମ୍ଭ କରିଦେଲେ । ସମୟକ୍ରମେ ମା’ର ବୟସ କାରଣରୁ ତାହା ବି ବନ୍ଦ ହୋଇଗଲା ।

ନିରାଶରେ ବଞ୍ଚୁଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କ ପରାମର୍ଶ କ୍ରମେ ପୁଣି ଆରମ୍ଭ କରିଦେଲେ ବେପାର । ବେପାର ପରେ ଯେଉଁ ୨ ପଇସା ରୋଜଗାର ହେଲା ସେତିକରେ ଭଉଣୀର ବାହାଘର ବି କଲେ । ନିଜେ ଚାଲିବୁଲ କରିପାରୁନାହାନ୍ତି ସତ କିନ୍ତୁ ନିଜର ସେହି ୩ ଚକିଆ ଗାଡିରେ ବସି ଗାଁ କୁ ଗାଁ ଯାଉଛନ୍ତି ବେପାର ବି କରୁଛନ୍ତି । ହୃଷିଙ୍କ ଏପରି ମହାନ କାମ ଆଜି ସେ ବିଭିନ୍ନ ଘରେ ଘରେ ବେଶ ପରିଚିତ ।

କିନ୍ତୁ ବିଡମ୍ବନା ର ବିଷୟ ସରକାର ପକ୍ଷରୁ ମାତ୍ର ୫୦୦/-ଟଙ୍କା ମିଳୁଛି । ନିଜେ ଭଙ୍ଗା ଘରେ ରହୁଥିବା ବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଘରବି ତାଙ୍କୁ ମିଳୁନାହିଁ । କିନ୍ତୁ ସେ ନା ଏହାକୁ ନେଇ କାହାକୁ କିଛି କହୁଛନ୍ତି ନା ଆପତ୍ତି ଉଠାଉଛନ୍ତି । କେବଳ ନିଜେ ପରିଶ୍ରମ କରି ବଞ୍ଚିବାର ସ୍ୱପ୍ନ ଦେଖୁଛନ୍ତି ।