କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବ୍ୟାସନଗରରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା । ରାସ୍ତାଘାଟ ସବୁଠି କୁଢ କୁଡ ଆବର୍ଜନା ପଡି ରହିଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଅଳିଆ ଆବର୍ଜନା ଜମି ରହି ଡ୍ରେନରେ ପାଣି ଜମି ରହୁଛି । ଯାହାଫଳରେ ଅସରାଏ ପାଣିରେ ବି ରାସ୍ତାରେ ଜମି ରହୁଛି ପାଣି । ମଶାଙ୍କ ବଂଶବୃଦ୍ଧି ଆଶଙ୍କା ତିବା ବେଳେ ଏହାର ସମାଧାନ ଦାବି କରିଛନ୍ତି ଲୋକେ ।

Advertisment

ଯାଜପୁର ଜିଲ୍ଲା ବ୍ୟାସନଗରରେ ଦୀର୍ଘଦିନ ହେବ ଡ୍ରେନ ସଫା ନହୋଇ ଅଳିଆ ଜମା ହୋଇ ରହିଛି । ରାସ୍ତା ସାରା ସବୁଠି କୁଢ କୁଢ ଅବାର୍ଜନା ପଡି ରହିଥିବା ବେଳେ ଜାମ ହୋଇଛି ସହର ମଧ୍ୟରେ ଥିବା ସମସ୍ତ ଡ୍ରେନ । ଫଳରେ ସହରର ବିଭିନ୍ନ ସ୍ଥାନରେ ଯାତାୟାତ ବେଳେ ଦୂର୍ଗନ୍ଧରେ ନାକ ଫାଟି ପଡୁଛି । ସହରରେ ଡ୍ରେନେଜ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ବେଳେ ମନ ଇଛା ପ୍ଲାନରେ ଗଢି ଉଠୁଛି ମାଳ ମାଳ କୋଠା । ଯାହାଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଛି । ଯାହାଫଳରେ ଯିବାଆସିବାରେ ଅସୁବିଧା ଭୋଗୁଛନ୍ତି ଲୋକେ । ତା ସହିତ ମଶାଙ୍କ ବଂଶବୃଦ୍ଧି ଯୋଗୁଁ ମାରାତ୍ମକ ଡେଙ୍ଗୁ ଓ ମ୍ୟାଲେରିଆ ଆଦି ରୋଗ ବ୍ୟାପିବାର ସମ୍ଭାବନା ଦେଖାଦେଇଛି ।

ପୌର ପରିଷଦ ପକ୍ଷରୁ ନିୟୋଜିତ ସଂସ୍ଥା ଦ୍ୱାରା ଡ୍ରେନ ସଫା କରାଯାଉନାହିଁ । ପ୍ରତ୍ୟେକ ୱାର୍ଡର ରାସ୍ତା କଡରେ ଅନାବନା ଗଛ ମାଡିଯାଇ ଜନ୍ତୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଲାଣି । କିଛି ସ୍ଥାନରେ ମୁକୁଳା ଡ୍ରେନ ରହିଥିବାବେଳେ ସେଥିରେ ମଶା ମରା ଔଷଧ ସିଞ୍ଚନ କରାଯାଉନାହିଁ । ସେପଟେ ଅଭିଯୋଗ ପରେ ଯଥାଶୀଘ୍ର ଡ୍ରେନ୍ ଗୁଡ଼ିକର ପୁନରୁଦ୍ଧାର କରାଯିବା ସହିତ ପରିମଳ ଉପରେ ଗୁରୁତ୍ବ ଦେବାକୁ ବୈଠକ କରାଯାଇଛି । ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ମିଳିଛି ପ୍ରତିଶ୍ରୁତି । ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବା ସହିତ ସମସ୍ତ ସମସ୍ୟାର ସମାଧାନ କରାଯିବା ଜରୁରୀ ହୋଇପଡିଛି ।