ହସଖୁସିର ବାଟରେ କଣ୍ଟା ସାଜିପାରିବନି ବାତ୍ୟା : ଆଶ୍ରୟସ୍ଥଳୀରେ ହସ ଖୁସିର ମୁହୂର୍ତ୍ତ ବିତାଉଛନ୍ତି କୁନି କୁନି ପିଲା

224

କନକ ବ୍ୟୁରୋ : ଆସୁଛି ବାତ୍ୟା ୟାସ । ବାତ୍ୟା ପ୍ରଭାବରେ ଅନବରତ ଲାଗି ରହିଛି ବର୍ଷା । ତୁହାକୁତୁହା ପବନ ବୋହୁଛି । ଏହାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରିତଙ୍କୁ ଥଇଥାନ କରାଯାଇଛି । ଯେଉଁଠି ଗୋଟିଏ ପଟେ ବାତ୍ୟାର ଭୟ, ଘର ଭାଙ୍ଗି ଯିବାର ଭୟ, ପାଣି ମାଡିଆସିବାର ଭୟ । ସେଇଠି କୁନି କୁନି ପିଲାଙ୍କ ମୁହଁରେ ଦେଖିବାକୁ ହସ ଖୁିସିର ଲହର । ବାତ୍ୟା ସବୁ କିଛି ଉଜାଡି ଦେଇପାରିବ ହେଲେ ଏଇ କୁନି କୁନି ପିଲାଙ୍କ ଖୁସିକୁ ଛଡାଇ ନେଇପାରିବନି । ହସଖୁସିର ବାଟରେ କଣ୍ଟା ସାଜିପାରିବନି ବାତ୍ୟା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଆଶ୍ରୟସ୍ଥଳରେ । ବାତ୍ୟା ଆଶ୍ରୟସ୍ଥଳରେ ଅଙ୍ଗନବାଡି ଦିଦି ବିଭିନ୍ନ ଉପାୟରେ କୁନି କୁନି ପିଲାଙ୍କୁ ଖେଳାଉଛନ୍ତି ।

ଅପରପକ୍ଷରେ ବାତ୍ୟା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ନେଇ ବ୍ଲକର ୩୪ ଗ୍ରାମପଞ୍ଚାୟତର ବିଭିନ୍ନ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ୩ ହଜାର ଆଶ୍ରିତଙ୍କୁ ଥଇଥାନ କରିଛି । ବ୍ଲକର ବିଭିନ୍ନ ସ୍ଥାନରୁ ୧୨ ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇ ଆଳି ସଦରମହକୁମା ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ପୂର୍ବାହ୍ନରେ ୨ଶିଶୁ ଜନ୍ମ ନେଇଛନ୍ତି । ନଦୀଘେରରେ ରହିଥିବା ଏକମାଣିଆ ଓ ପଦନୀପାଳ ପଞ୍ଚାୟତରେ ସର୍ବାଧିକ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ।

ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯାଇଥିବା ବେଳେ ଅନ୍ୟ ଆଶ୍ରୟସ୍ଥଳୀ ଗୁଡିକରେ ଚୁଡା, ଗୁଡ ଆଦି ଶୁଖିଲା ଖାଦ୍ୟ ଦିଆଯାଇଛି । ପଞ୍ଚାୟତର ସରପଞ୍ଚ ମାନେ ଥଇଥାନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । କ୍ରମଶଃ ବର୍ଷା ସହିତ ପବନର ବେଗ ବଢୁଥିବାରୁ ଆତଙ୍କିତ ଲୋକେ ବେଡିଂବିସ୍ତରା ବାନ୍ଧି ପିଲାଛୁଆ ଧରି ଆଶ୍ରୟସ୍ଥଳ ମୁହାଁ ହେବାରେ ଲାଗିଛନ୍ତି । ରାତି ସୁଦ୍ଧା ଆଶ୍ରୟସ୍ଥଳୀ ମାନଙ୍କରେ ଆହୁରି ଆଶ୍ରିତଙ୍କ ସଂଖ୍ୟା ବଢିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments are closed.