ବିନା ପାପୁଲିରେ ବିଲାତି ଚାଷ କରି ଚର୍ଚ୍ଚାରେ ବିଭୂତି । ଦିବ୍ୟାଙ୍ଗ ହୋଇ ବି ହାରି ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ୨୦ ପରିବାରକୁ ଦେଇଛନ୍ତି ରୋଜଗାର ।

175

କନକ ବ୍ୟୁରୋ: ଚାଷ କାମ ଯାହାର କେଡେ ସୁଖ ତାହାର… ଏ କଥାକୁ କେବଳ କଥାରେ ରହିବାକୁ ଦେଇନାହାନ୍ତି ଏ ବ୍ୟକ୍ତି । ଜନ୍ମରୁ ଦିବ୍ୟାଙ୍ଗ ହେଲେ ଏ ସବୁଜ ଫସଲ, ଏ ବିରାଟ କ୍ଷେତର ପନିପରିବା ଯେ ତାଙ୍କ ହାତର ସ୍ପର୍ଶରେ ଫଳିଛି ତାହା କେହି ବିଶ୍ୱାସ କରିବେନି । ଆଜ୍ଞା ହଁ, ହାତର ପାପୁଲି ନଥାଇ ବି ସେ ହାରି ନଯାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହାଲ ଗାଁର ଦିବ୍ୟାଙ୍ଗ ଯୁବକ ବିଭୂତି ପ୍ରଧାନ । ଜନ୍ମରୁ ପାପୁଲି ନଥିବା ସହ ପାଠ ପଢିବାକୁ ଅର୍ଥ ନଥିବାରୁ ଅଧାରୁ ପାଠ ଛାଡି ରୋଜଗାର ପାଇଁ ବାଙ୍ଗାଲୋର ଯାଇଥିଲେ । ଆଉ ସେଠାରେ ହେଉଥିବା କୃଷି ପଦ୍ଧତି ଓ କୃଷକଙ୍କ ଆୟ ଦେଖି ଆଗ୍ରହ ପ୍ରକାଶ କରିଥିଲେ ବିଭୂତି । ଆଉ ସେଠାରେ ମାସେ ତାଲିମ ନେଇ ସିଧା ଗାଁକୁ ଆସି ଚାଷ ଆରମ୍ଭ କରିଥିଲେ ।

୫ ଏକର ଜମିରେ ନିଜସ୍ୱ ଉଦ୍ୟମରେ ପାଖାପାଖି ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ବାହାରୁ ଶିଖି ଆସିଥିବା ଚାଷ ପ୍ରଣାଳୀରେ ଗାଁ ଚାଷ କରିଥିଲେ । ପୂରା ଜମିରେ ଟମାଟୋ ଲଗାଇ ଏବେ ବେଶ ଲାଭବାନ ହେଉଛନ୍ତି ବିଭୂତି । ତେବେ ସବୁଠାରୁ ବଡ କଥା ହେଉଛି ଦିବ୍ୟାଙ୍ଗ ହୋଇ ବି ଖାଲି ନିଜେ ସ୍ୱାଭଲମ୍ବୀ ହୋଇ ନାହାନ୍ତି ବରଂ ଅନ୍ୟମାନଙ୍କୁ ସ୍ୱାଭାଲମ୍ବୀ କରାଇଛନ୍ତି । ଗାଁର ପାଖାପାଖି ୨୦ଟି ପରିବାରର ଲୋକଙ୍କୁ ସେ ନିଜ ଚାଷ ଜମିରେ ରୋଜଗାର ଦେଇଛନ୍ତି ।

ବର୍ଷକୁ ୫ରୁ ୭ ଲକ୍ଷ ରୋଜଗାର କରୁଥିବା ବିଭୂତି ବିନା ପାପୁଲିରେ ଚାଷ ଜମିରେ ଅନେକ କାମ ନିଜେ କରନ୍ତି । ବିଷ ପକାଇବା ଠାରୁ ଟମାଟୋ ଅମଳ କରି ବିକ୍ରି କରିବା ଯାଏଁ ସବୁ କରନ୍ତି ବିଭୂତି । ତେବେ ଗୋଟିଏ ପାପୁଲି ବିନା ସେ ଯେଉଁ ସଫଳତା ପାଇଛନ୍ତି ଯେଉଁ ଉଦ୍ୟମ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଭଲ ବାର୍ତ୍ତାଟିଏ ଦେଇଛି ।