ଯୁବପୀଢିଙ୍କ ପାଇଁ ପ୍ରେରଣା ରାଜକିଶୋର ସ୍ୱାଇଁ । ଦିବ୍ୟାଙ୍ଗ ହୋଇ ହାରିନାହାନ୍ତି, ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ପାମ୍ପଡ ଓ ନଳୀ ।

113

କନକ ବ୍ୟୁରୋ: କଥାରେ ଅଛି ଶରୀର ଯେତେ ବି ଦୁର୍ବଳ ହେଉ ନା କାହିଁଙ୍କି ମନ ଦୃଢ ଥିଲେ ସବୁ କିଛି ସମ୍ଭବ ହୋଇପାରିବ । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି । ଚାଲିବାକୁ ସକ୍ଷମ ନ ଥିବା ଭିନ୍ନକ୍ଷମ ରାଜକିଶୋର ପାମ୍ପଡ଼ ବିକି ନିଜ ପରିବାରକୁ ଚଳାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ରାଜକିଶୋର ସ୍ୱାଇଁଙ୍କ ଶରୀରର ୮୫ ପ୍ରତିଶତ ଅକାମୀ । ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଅଚଳ । ଘର ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଅଞ୍ଚଳରେ । ପରିବାର କହିଲେ ସ୍ତ୍ରୀ ଆଉ ଦୁଇ ପିଲା । ପରିବାର ସହ ଏକ ଝାଟି ମାଟି ଘରେ ଭଡାରେ ରହୁଛନ୍ତି ରାଜକିଶୋର । ପରିବାର ପୋଷିବା ପାଇଁ ଆୟର ଅନ୍ୟ କୌଣସି ବାଟ ନଥିବାରୁ ପାଉଥିବା ଭିନ୍ନକ୍ଷମ ଭତାରୁ ପାମ୍ପଡ ବେପାର ଆରମ୍ଭ କରିଛନ୍ତି ରାଜକିଶୋର ।

ଘରେ ସ୍ତ୍ରୀଙ୍କ ସହଯୋଗରେ ପାମ୍ପଡ଼ ତିଆରି କରିବା ପରେ ପ୍ୟାକିଂ କରି ଆଖପାଖ ଅଞ୍ଚଳରେ ବୁଲି ବୁଲି ବିକ୍ରି କରୁଛନ୍ତି ରାଜକିଶୋର । ପାମ୍ପଡ଼, ନଳୀକୁ ସାଇକେଲରେ ଲଦି ସାତଶଂଖ, ବଳପୁର, ତେଇଶିପୁର ,ପଟ୍ଟନାୟକିଆ ଅଞ୍ଚଳରେ ବିକ୍ରି କରୁଛନ୍ତି । ତାଙ୍କ ପାମ୍ପଡର ଚାହିଦା ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ଗୋଟିଏ ଗୋଡ ଅଚଳ ଥିବାରୁ ସାଇକେଲରେ ବୁଲି ବୁଲି ବେପାର କରିବାକୁ ରାଜକିଶୋରଙ୍କୁ ବହୁ କଷ୍ଟ କରିବାକୁ ପଡୁଛି । ଅଧିକ ପାମ୍ପଡ଼ ବିକ୍ରି କରିବା ପାଇଁ ଏକ ବ୍ୟାଟେରୀ ଗାଡ଼ି ଅବା ଆର୍ଥିକ ସହଯୋଗ ଲୋଡିଛନ୍ତି ରାଜକିଶୋର । ଅଭାବ, ଅସୁବିଧାରେ ଥାଇ ମଧ୍ୟ ପରିଶ୍ରମ କରି ପେଟ ପୋଷୁଥିବା ରାଜକିଶୋର ବାସ୍ତବରେ ସହାୟତାର ଆବଶ୍ୟକତା ରହିଛି । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି ତେବେ ୬୩୭୧୭୫୫୯୧୬ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ।