କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଚମ୍ପା ଦୁରୁଆଙ୍କ ସ୍ୱାସ୍ଥ୍ୟ ବିଭାଗ ଏମିତି ଖେଳ ଖେଳିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆଙ୍କୁ ନେଇ ଚମ୍ପା ଆଖିରେ ଥିଲା ଆଖିଏ ସ୍ୱପ୍ନ । ପୁଅ ବାହା କରାଇବ, ନାତି ନାତୁଣୀଙ୍କ ମେଳରେ ତାର ଶେଷ ଜୀବନ କଟିବ । ହେଲେ ସ୍ୱାସ୍ଥ୍ୟ ବିଭାଗ ନିରୀହ ସରଳ ଆଦିବାସୀ ମହିଳା ଚମ୍ପା ଦୁରୁଆଙ୍କ ସ୍ୱପ୍ନକୁ ଛଡାଇ ନେଲା । ବାପ ଛେଉଣ୍ଡ ପୁଅ ଗଙ୍ଗା ଦୁରୁଆଙ୍କ ସରଳତାର ସୁଯୋଗ ନେଇ କିଛି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ଅଭିଯୋଗ ହୋଇଛି ।

Advertisment

ସାଂଘାତିକ କଥା ହେଉଛି ଅବିବାହିତ ଗଙ୍ଗାକୁ କାଗଜପତ୍ରରେ ବିବାହିତ ଦର୍ଶାଇ ଅସ୍ତ୍ରୋପଚରା କରାଯାଇଛି । କେବଳ ପରିବାର ନିୟୋଜନ ଅସ୍ତ୍ରୋପଚାର ସଂଖ୍ୟା ବଢାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଜଣେ ନିରୀହ ଆଦିବାସୀ ପରିବାରର ବଂଶ ବୁଡାଇ ଦେଇଛନ୍ତି । ଗତ ୩ ତାରିଖରେ ମାଥିଲି ସବଡିଭିଜନ ମେଡିକାଲ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା । ଅସ୍ତ୍ରୋପଚାର ପରେ କିଛି ଔଷଧ ଓ ୨ ହଜାର ଟଙ୍କା ଦେଇ ଗଙ୍ଗା ଦୁରୁଆଙ୍କୁ ଘରକୁ ପଠାଇ ଦେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ଆଦିବାସୀ ପରିବାରର ସରଳତାର ସୁଯୋଗ ନେଇ ଓ ବନ୍ଧ୍ୟାକରଣ ସଂଖ୍ୟା ବଢାଇବା ପାଇଁ ଏଭଳି ଅନ୍ୟାୟ କରିଥିବା କୁହାଯାଉଛି । ଏହାକୁ ତୀବ୍ର ବିରୋଧ କରି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକୋ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡନେଟର କରିବେ ତଦନ୍ତ । ମାଥିଲି ବ୍ଲକ ଆମ୍ବଗୁଡ଼ା ଯାଇ ପୀଡ଼ିତାଙ୍କୁ ଭେଟିବେ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଛନ୍ତି ସିଡିଏମଓ ।