ଆପଣ ଭିନ୍ନକ୍ଷମ ହୁଅନ୍ତୁ ଅବା ନହୁଅନ୍ତୁ…ଡାକ୍ତରୀ ଚେକିଂର ଆବଶ୍ୟକତା ନାହିଁ କି କାହା ପାଖକୁ ଯିବା ଦରକାର ନାହିଁ । ଦଲାଲ ଦେଉଛନ୍ତି ଦିବ୍ୟାଙ୍ଗ ପ୍ରମାଣପତ୍ର…ଟଙ୍କା ଦିଅ, ସାର୍ଟିଫିକେଟ ନିଅ

ଏହା ପଛରେ ଏକ ରାକେଟ କାମ କରୁନି ତ?

595

କନକ ବ୍ୟୁରୋ: ଆପଣ ଭିନ୍ନକ୍ଷମ ହୁଅନ୍ତୁ ଅବା ନହୁଅନ୍ତୁ । ଡାକ୍ତରୀ ଚେକିଂର ଆବଶ୍ୟକତା ନାହିଁ କି କାହା ପାଖକୁ ଯିବା ଦରକାର ନାହିଁ । ପଇସା ଦେଲେ ଘରେ ବସି ପାଇଯିବେ ସାର୍ଟିଫିକେଟ । ଏଭଳି ସଂଗିନ ଅଭିଯୋଗ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ । ଦଲାଲଙ୍କୁ ଟଙ୍କା ଦେଇ ସାର୍ଟିଫିକେଟ ହାସଲ କରୁଛନ୍ତି । ହେଲେ ପ୍ରକୃତ ଦିବ୍ୟାଙ୍ଗଙ୍କୁ ମିଳୁନି ସୁବିଧା ।

ଇଏ ହେଉଛନ୍ତି ରାଜ୍ୟ ଦୃଷ୍ଟିହୀନ ଫୁଟବଲ ଟିମର କ୍ୟାପଟେନ ବାପିନା ନାୟକ । ଯୁକ୍ତ ୩ ପାସ କରିବା ପରେ ସିଟି କରୁଛନ୍ତି । ଅନଲାଇନ କ୍ଳାସ ଚାଲିଛି । କିନ୍ୁ ପଇସା ଅଭାବ , ଯୋଗୁଁ ପାଠପଢା ସମ୍ଭବ ହୋଇପାରୁନି । ବୃତି ପାଇଁ ବାରମ୍ବାର ଆବେଦନ କରୁଛନ୍ତି । ହେଲେ ପାଉନାହାଁନ୍ତି । କେବଳ ବାପିନା ନୁହଁନ୍ତି , ତାଙ୍କଭଳି ଅନେକ ଦିବ୍ୟାଙ୍ଗ ଏଭଳି ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି । କାରଣ ଖୋଜିଲା ବେଳକୁ ଜଣା ପଡିଲା ବାସ୍ତବରେ ପ୍ରକୃତ ଭିନ୍ନକ୍ଷମଙ୍କ ଅଧିକାରକୁ ଛଡାଇ ନେଉଛନ୍ତି ସକ୍ଷମମାନେ । ଗଳା ବାଟରେ ସାର୍ଟିଫିକେଟ ତିଆରି କରି ହାତେଇନେଉଛନ୍ତି ସରକାରୀ ସହାୟତା । ଆଉ ଏହି ଗଳାବାଟରେ ସାର୍ଟିଫିକେଟ ପ୍ରସ୍ତୁତି କରୁଛି ବିକ୍ରମ ନାମରେ ଜଣେ ଯୁବକ । ଯାହାର ପର୍ଦାଫାସ କରିଛନ୍ତି କିଛି ଦିବ୍ୟାଙ୍ଗ ।

ଇଏ ହେଉଛନ୍ତି ସେହିପରି ଜଣେ ସାର୍ଟିଫିକେଟଧାରୀ ଦିବ୍ୟାଙ୍ଗ । ସାର୍ଟିଫିକେଟ ରାକେଟ୍ ବିଷୟରେ ଜାଣିବା ପରେ ଫୋନ କରିଥିଲେ ସଂପୃକ୍ତ ଦଲାଲ ବିକ୍ରମକୁ । ହେଲେ ସେ ଯାହା କହିଲେ ତାହା ତାଙ୍କୁ ଚମକାଇ ଦେଇଥିଲା । ଏଭଳି ଏକାଧିକ ଦିବ୍ୟାଙ୍ଗ ଯୁବକ ଅଭିଯୋଗ କରିଛନ୍ତି ।ସଂପୃକ୍ତ ଯୁବକ ବିକ୍ରମ ଘଡେଇଙ୍କ ସହ ଆମେ ମଧ୍ୟ କଥା ହୋଇଥିଲୁ । କିନ୍ତୁ ଦ୍ୱିତୀୟ ଥର କଥା ହେବାକୁ ଚାହିଁଲା ବେଳକୁ ବାବୁ ଆଉ ଫୋନ ଉଠାଇନଥିଲେ । ତାଙ୍କ ଫେସବୁକରୁ ଜାଣିଲୁ ବାବୁ ବିକ୍ରମଙ୍କ ଘର ନୟାଗଡ ବ୍ଳକର ଶଙ୍ଖେଇ ଗାଁରେ । ତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଧରା ଦେଇନଥିଲେ ବାବୁ ବିକ୍ରମ ।

ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ବ୍ୟତିତ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ବ୍ଳକ କାର୍ଯ୍ୟାଳୟରେ ସିଡିଏମଓ ଓ ସଂପୃକ୍ତ ଡାକ୍ତରଙ୍କ ଦସ୍ତଖତ ରହିଥାଏ । ତେଣୁ ବିକ୍ରମ ଏହାକୁ କିଭଳି ପ୍ରସ୍ତୁତ କରୁଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଏହା ପଛରେ ଏକ ରାକେଟ୍ କାମ କରୁନି ତ?