‘ନାରୀ’ ସୃଷ୍ଟିର ଅନନ୍ୟା: କେତେବେଳେ ଦେବୀ ପୁଣି କେତେବେଳେ ମାଆ, କେତେବେଳେ ଝିଅ ତ ପୁଣି କେତେବେଳେ ସ୍ତ୍ରୀ; ଅନ୍ତର୍ଜାତୀୟ ମହିଳା ଦିବସରେ ପଢନ୍ତୁ ଜଣେ ଦିବ୍ୟାଙ୍ଗ ମହିଳାଙ୍କ କାହାଣୀ

314

କନକ ବ୍ୟୁରୋ: ନାରୀ ସୃଷ୍ଟିର ଅନନ୍ୟା । ଯାହାର ତୁଳନା ନାହିଁ । ସେଥିପାଇଁ ସେ କେତେବେଳେ ଦେବୀ ପୁଣି କେତେବେଳେ ମାଆ, କେତେବେଳେ ଝିଅ ପୁଣି କେତୋବେଳେ ସ୍ତ୍ରୀ । ଅନ୍ତର୍ଜାତୀୟ ମହିଳା ଦିବସରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ବିଷୟରେ ଜାଣିବା, ଯିଏ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବା ପାଇଁ ଆଶା ବାନ୍ଧିଛନ୍ତି ।

ଦିବ୍ୟାଙ୍ଗ ହୋଇ ମଧ୍ୟ ହରାଇନାହାନ୍ତି ମନୋବଳ । ଆତ୍ମନିର୍ଭରଶୀଳ ହେବା ପାଇଁ ମନରେ ରହିଛି ଅସୁମାରୀ ଆଶା । ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସ୍ତରରୁ କିଛି ଅର୍ଥ ମିଳିଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମନରେ ଆଶା ରଖିଛନ୍ତି ନୂଆପଡା କୋମନା ଲକ୍ଷନା ଗାଁର କାନ୍ତି ରାଉତ । ପିଲାଦିନେ କୌଣସି କାରଣରୁ କାନ୍ତିଙ୍କ ଡ଼ାହାଣ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା । ଆଉ ଅର୍ଥ ଅଭାବରୁ ସେ ତାଙ୍କର ଚିକିତ୍ସା କରାଇପାରିନଥିଲେ । ଯାହା ତାଙ୍କୁ ଦିବ୍ୟାଙ୍ଗ ବନେଇ ଦେଇଛି ।

ପିଲାଦିନୁ କାନ୍ତିଙ୍କ ମା’ ଆରପାରିକୁ ଚାଲିଯାଇଛନ୍ତି । ବାପା ଧାର କରଜ କରି ଦୁଇ ଭଉଣୀଙ୍କୁ ବାହାଦେଇଛନ୍ତି । ଧାର କରଜ କରି ଝିଅ ଦୁହିଁଙ୍କୁ ବାହାଦେଇଥିବା ବୁଢାବାପା ଏବେ ଋଣ ସୁଝିବା ପାଇଁ ଦାଦନ ଖଟୁଛନ୍ତି । ଆଉ ଘରେ ଏକାକି ରହୁଥିବା ଦିବ୍ୟାଙ୍ଗ ଯୁବତୀ କାନ୍ତି ନିଜର ଖାଇବା ପିଇବା ଓ ଚଳିବା ପାଇଁ ସମ୍ପର୍କୀୟଙ୍କ ଉପରେ ନିର୍ଭର କରୁଛନ୍ତି । ଆଉ ତାଙ୍କର ଏକ ମାତ୍ର ସାହାରା ପାଲଟିଛି ବାଉଁଶ ବାଡ଼ି । ତେବେ ସରକାରୀ ସହାୟତା ମିଳିଲେ ସେ ତାଙ୍କ ବାକି ଜୀବନ ଆତ୍ମନିର୍ଭରଶୀଳ ହୋଇ ସ୍ୱାଧିନତାର ସହ ବଂଚିପାରିବେ ବୋଲି ଆଶା ବାନ୍ଧିଛନ୍ତି । ତେବେ ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଯଦି ସରକାରୀ ସହାୟତା ମିଳନ୍ତା ତେବେ ସେ ହୁଏତ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଆତ୍ମନିର୍ଭରଶୀଳ ହୋଇପାରନ୍ତେ ।