ସଂଘର୍ଷର ନାଁ ସଂଯୁକ୍ତା: ଜୀବନ ଯୁଦ୍ଧରେ ହାରି ନାହାନ୍ତି ଦିବ୍ୟାଙ୍ଗ ଯୁବତୀ ସଂଯୁକ୍ତା ବେହେରା

83

କନକ ବ୍ୟୁରୋ: ସେ କଥା କହି ପାରନ୍ତି ନାହିଁ, କି ଶୁଣି ପାରନ୍ତିନି । କିନ୍ତୁ ନିଜ ଭିତରେ ଥିବା ଦୃଢ ଆତ୍ମବଳ ତାଙ୍କୁ ଅନ୍ୟମାନଙ୍କ ପାଖରେ ନିଆରା କରିଛି । ଦିବ୍ୟାଙ୍ଗ ହୋଇ ଦୁନିଆକୁ ନୂଆ ବାର୍ତା ଦେଇଛନ୍ତି ସଂଯୁକ୍ତା । ତାଙ୍କ ହାତର କଳାକୃତି ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା କିଏ ଏଇ ସଂଯୁକ୍ତ, କଣ ତାଙ୍କ ପ୍ରତିଭା ।

ମୟୂରଭଂଜ ଉଦଳା ବ୍ଲକ ପହଣ୍ଡା ଗାଁର ସଂଯୁକ୍ତା ବେହେରା । ପିଲାଟି ଦିନରୁ ନା କିଛି କହି ପାରନ୍ତି ନା ଶୁଣି ପାରନ୍ତି । ଶାରିରୀକ କ୍ଷମତାରେ ସେ ଯେମିତି ଭିନ୍ନ, କାମରେ ମଧ୍ୟ ସେମିତି ଭିନ୍ନ । ସବୁବେଳେ ହସହସ ମୁହଁରେ ଅନ୍ୟର ଭାବକୁ ପଢିବାକୁ ଚେଷ୍ଟା କରନ୍ତି । ମାଟିରେ ସୁନ୍ଦର କଳାକୃତି କରି ଅନ୍ୟମାନଙ୍କ ମନ ଜିଣନ୍ତି । ମାଟିରେ ଘୋଡ଼ା, ମୁକୁଟ, ମେଢ, ଆଦି ତିଆରି ସହ ତା’ଉପରେ ସୁନ୍ଦର କାରୁକାର୍ଯ୍ୟ କରନ୍ତି ।

କେବଳ ମାଟି ତିଆରି ସାମଗ୍ରୀ ନୁହେଁ ଘରେ ସିଲେଇ ମେସିନ ପକାଇ ୫ ବର୍ଷ ହେଲା ସିଲେଇ କାମ ବି କରୁଛନ୍ତି । ସେଥିରୁ ଯାହା ରୋଜଗାର ହୁଏ ମାଆ ଝିଅ ଚଳୁଛନ୍ତି । ବାପାଙ୍କ ମୃତ୍ୟୁ ପରେ ମାଆ ବିଛଣାରେ । ପରିବାରର ସମସ୍ତ ଦାୟିତ୍ୱ ଏବେ ତାଙ୍କ ଉପରେ । ତେଣୁ ନିଜର କାମ କରିବା ସହ ରୋଗିଣା ମାଆର ସବୁ କାମ କରିଥାନ୍ତି ସଂଯୁକ୍ତା ।

ଜଣେ ଦିବ୍ୟାଙ୍ଗ ହୋଇ ବି ନିଜକୁ କେବେ ଦୁର୍ବଳ ମନେ କରି ନାହାନ୍ତି ସଂଯୁକ୍ତ । ବରଂ ମାଆ ଓ ସମାଜ ପାଖରେ ନିଜକୁ ଘରର ମଝି ଖୁଂଟ କରି ଠିଆ ହୋଇଛନ୍ତି । ଆଉ ସମାଜରେ ନିଜକୁ ଦୁର୍ବଳ ମନେ କରି ଭାଙ୍ଗି ପଡୁଥିବା ବ୍ୟକ୍ତିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।