କନକ ବ୍ୟୁରୋ :  ଝାଟି ମାଟିର କୁଡିଆରେ ରହୁଛନ୍ତି ୫ ପ୍ରାଣୀ ପରିବାର । ପିଲାଛୁଆ-ବାପାମାଆ ଏକାଠି ବସିବାକୁ ଜାଗା ନାହିଁ । ଜିନିଷ ପତ୍ର କାନ୍ଥରେ ଟଙ୍ଗା ହୋଇଛି । ରୋଷେଇ ବାସ-ଖିଆପିଆ ଘର ବାହାରେ କରିବାକୁ ପଡୁଛି । ଆଜିର ସମୟରେ ସହରରେ ବସ୍ତିବାସିନ୍ଦାଙ୍କୁ ସରକାର ଆପାର୍ଟମେଂଟ ଦେଉଛନ୍ତି । ହେଲେ କେନ୍ଦ୍ରାପଡା ରାଜକନିକା ବ୍ଲକର ସିହପଡା ଗାଁର ସତ୍ୟବ୍ରତ ଜେନାଙ୍କ ଭାଗ୍ୟରେ ଜୁଟିନାହିଁ ସରକାରୀ ଆବାସଟିଏ ।

Advertisment

୪୩ ବର୍ଷିୟ ସୁବ୍ରତ ଏବେ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି । କୋଲକାତାରେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ କରି ପରିବାର ଚଳାଉଥିଲେ । ସୁଖେ ଦୁଃଖେ ୩ ପିଲାଙ୍କୁ ନେଇ ସଂସାର ଚାଲୁଥିଲା   । ହେଲେ ସାତ ବର୍ଷ ତଳେ ଏକ ସଡକ ଦୁର୍ଘଟଣା, ତାଙ୍କୁ ଦିବ୍ୟାଙ୍ଗ କରି ଦେଇଥିବା ବେଳେ ପରିବାର ଉପରେ ଦୁଃଖର ପାହାଡ ଲଦି ହୋଇପଡିଛି । ପାଖରେ ଆର୍ଥିକ ସମ୍ବଳ ନାହିଁ । ଘରକୁ ଛପର କରିପାରିନାହାନ୍ତି  । ସତ୍ୟବ୍ରତଙ୍କ ସ୍ତ୍ରୀ, ମାଗି ଯାଚି ଆଣି ପରିବାର ମୁହଁରେ ଦାନା ଦେବା ସହ ଦୁଇ ଝିଅଙ୍କୁ ପାଠ ପଢାଉଛନ୍ତି । ଏଭଳି ସ୍ଥିତିରେ ପକ୍କାଘରଟିଏ ପାଇଁ ଅନେକ ଥର ପଂଚାୟତ ଓ ବ୍ଲକ ସ୍ତରରେ ଅନୁରୋଧ କରିଛନ୍ତି ସତ୍ୟବ୍ରତଙ୍କ ସ୍ତ୍ରୀ । ହେଲେ କେହି ବୁଝୁନାହାନ୍ତି ତାଙ୍କ ଦୁଃଖ ।

ପରିବାରର ଏଭଳି ସ୍ଥିତିରେ ସତ୍ୟବ୍ରତଙ୍କୁ ସରକାରୀ ଯୋଜନାରେ ଭତାଟିଏ ମିଳୁଛି । ପରିବାରରେ ୫ଜଣ ସଦସ୍ୟ ଥିବା ବେଳେ ୪ ଜଣଙ୍କୁ ରାସନ ଚାଉଳ ମିଳୁଛି । ଏତିକିରେ ସଂସାର ରଥକୁ ଆଗକୁ ନେବା ସହଜ ହେଉନଥିବାରୁ ସହାୟତା ଲୋଡିଛନ୍ତି ସତ୍ୟବ୍ରତଙ୍କ ପରିବାର ।