ଲୁହ ଆଣିଦେବ ଭାଇ-ଭଉଣୀଙ୍କ ଦୁଃଖ କାହାଣୀ…ଦିବ୍ୟାଙ୍ଗ ବୋଲି ଆଧାର ନାହିଁ କି ମିଳୁନି ଆହାର…ଗରିବ ବାପାର ଗୁହାରୀ ଶୁଣିବାକୁ କେହି ନାହାନ୍ତି, ଭଗବାନ ହିଁ ଏକମାତ୍ର ସାହାରା

846

କନକ ବ୍ୟୁରୋ: ଦିବ୍ୟାଙ୍ଗ ବୋଲି ମିଳୁନି ଆଧାରକାର୍ଡ଼ । ଅଧାରକାର୍ଡ଼ ନଥିବାରୁ ସରକାରୀ ଚାଉଳ ବି ମିଳୁନାହିଁ । ବିଶ୍ୱନାଥଙ୍କ ୩ ସନ୍ତାନଙ୍କ ମଧ୍ୟରୁ ୨ ସନ୍ତାନ ଦିବ୍ୟାଙ୍ଗ । ଗୋଟିଏ ଝିଅ ଓ ଗୋଟିଏ ପୁଅ ଦିବ୍ୟାଙ୍ଗ ହୋଇଥିବାରୁ ବିଶ୍ୱନାଥଙ୍କ ପରିବାର ଏବେ ଦୁଃଖରେ ଭାଂଗି ପଡ଼ିଛନ୍ତି । ଦରଜୀ କାମ କରି ଯାହା ରୋଜଗାର ହୁଏ ସେଥିରେ ପାଂଚ ପ୍ରାଣୀ କୁଟୁମ୍ବ ପୋଷିବା କଷ୍ଟକର ହୋଇପଡ଼ିଥିବାବେଳେ ଦୁଇ ଦିବ୍ୟାଙ୍ଗ ସନ୍ତାନଙ୍କୁ ଚିକିତ୍ସା କରିବା ତାଙ୍କ ପକ୍ଷେ ଅସମ୍ଭବ ।

 

ବିଶ୍ୱନାଥ ସ୍ୱର୍ଣ୍ଣକାର । ଘର ମାଲକାନଗିରି ଜିଲ୍ଲା ଏମଭି-୫୬ ଗ୍ରାମରେ । ବିଶ୍ୱନାଥଙ୍କ ୩ ସନ୍ତାନଙ୍କ ମଧ୍ୟରୁ ମଝିଆ ଝିଅ ଅପର୍ଣ୍ଣା ଓ ସାନ ପୁଅ ଗୋବିନ୍ଦ ସଂପୁର୍ଣ୍ଣ ଭାବରେ ଦିବ୍ୟାଙ୍ଗ । ଚାଲିବୁଲି ପାରୁନାହାଁନ୍ତି । କଥା ବି କହିପାରୁନାହାଁନ୍ତି । ହାତଗୋଡ଼ ସବୁ ଅଚଳ । ଗୋଟିଏ ଶେଯରେ ଶୋଇ ରହୁଛନ୍ତି । ଝାଡ଼ା ପରିଶ୍ରା ସେଇଠି ହିଁ କରନ୍ତି । ସ୍ୱାମୀ-ସ୍ତ୍ରୀ ଏହି ଦୁଇ ଦିବ୍ୟାଙ୍ଗ ସନ୍ତାନଙ୍କ କାମ କରୁ କରୁ ସମୟ ଅଂଟେନି । ତେବେ ସବୁଠାରୁ ଦୁଃଖର କଥା ହେଲା ମଝିଆ ଝିଅର ଆଧାର କାର୍ଡ଼ ହୋଇପାରୁନି । କାରଣ ସେ ଦିବ୍ୟାଙ୍ଗ । ତାର ଟିପ ଚିହ୍ନ ସ୍କାନିଂ ହୋଇପାରୁନଥିବାରୁ ଆଧାରକାର୍ଡ଼ ହୋଇପାରୁନାହିଁ ବୋଲି ବିଶ୍ୱନାଥ ପ୍ରକାଶ କରିଛନ୍ତି । ଅଧାରକାର୍ଡ଼ ହୋଇପାରୁନଥିବାରୁ ଟଙ୍କିକିଆ ଚାଉଳ ବି ମିଳୁନାହିଁ । ଚିକିତ୍ସା କରିବାକୁ ମଧ୍ୟ ସମ୍ବଳ ନାହିଁ । ତେଣୁ ବିଶ୍ୱନାଥ ଏବେ ଭଗବାନ ଭରସାରେ ଦିନ କାଟୁଥିବାର କହିଛନ୍ତି ।

ଦୁଇ ଦିବ୍ୟାଙ୍ଗ ସନ୍ତାନକୁ ନେଇ ପ୍ରଥମେ କାଲିମେଳା ଓ ପରେ ମାଲକାନଗିରି ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ ବିଶ୍ୱନାଥ । ହେଲେ ଡ଼ାକ୍ତର କଟକ ନେଇଯିବାକୁ କହିବାରୁ ବିଶ୍ୱନାଥ କିନ୍ତୁ କଟକ ନେଇପାରିନଥିଲେ । କାରଣ ପାଖରେ ଅର୍ଥର ଅଭାବ । ତେଣୁ ସେ ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ଅନ୍ୟପକ୍ଷରେ ଯଦି ଏହି ଦିବ୍ୟାଙ୍ଗ ପରିବାର ପ୍ରତି ସରକାର କିମ୍ବା ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାନ୍ତି ତେବେ ଏକ ଗରୀବ ଅସହାୟ ପରିବାରର ଦୁଇ ସନ୍ତାନଙ୍କ ଭବିଷ୍ୟତ ଉଜ୍ୱଳ ହୋଇପାରନ୍ତା ବୋଲି କହିଛନ୍ତି ବିଶ୍ୱନାଥଙ୍କ ପଡ଼ୋଶୀ ।