ଦଲାଲଙ୍କ ଠକେଇଠୁ ବଳିଗଲା ସରକାରଙ୍କ ଉପେକ୍ଷା : ମିଳୁନି ଭତ୍ତା , ବାଟବଣା ଯୋଜନା

29

କନକ ବ୍ୟୁରୋ : ଦିବ୍ୟାଂଗମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ବିଭାଗ ଖୋଲିଛନ୍ତି । ଏହାସହ ସେମାନଙ୍କ ପାଇଁ କଣ ସବୁ ସରକାରୀ ଯୋଜନା କରାଯାଉଛି ସେ ନେଇ ପ୍ରଚାର ମଧ୍ୟ କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ସତରେ କଣ ଏହି ଦିବ୍ୟାଂଗମାନେ ଯୋଜନାର ସୁଫଳ ପାଇପାରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ କନକ ନ୍ୟୁଜ ଏଭଳି କିଛି ବାସ୍ତବିକତାର ଚିତ୍ର ଦେଖିଥିଲା ।

ବାଲେଶ୍ୱର ଭୋଗରାଇ ଗମ୍ଭାରିଆ ଗାଁର ଝୁଣିଆ ଲାୟାଙ୍କ ପରିବାର । ପରିବାରର ୪ଜଣ ଜନ୍ମରୁ ଭିନ୍ନକ୍ଷମ । ତେବେ ପରିବାରର ସଦସ୍ୟଙ୍କ ଅଭିଯୋଗ ମୁତାବକ ସେମାନଙ୍କୁ ମିଳିପାରୁନି ସରକାରୀ ସହାୟତା । ଗୋଟିଏ ପଟେ ସରକାରଙ୍କ ଉପେକ୍ଷାର ଶିକାର ହୋଇଥିବାବେଳେ ଏବେ ଦଲାଲ ତାଙ୍କୁ ଦାଉ ସାଧିଛନ୍ତି । ଭିନ୍ନକ୍ଷମ ଜାଲ ପ୍ରମାଣପତ୍ର ଖଣ୍ଡିଏ ଧରାଇ ଦଲାଲ ଚଂପଟ ମାରିଛନ୍ତି ।

ଯାଜପୁର ବନ୍ଦାଳ ଗାଁର ଅକ୍ଷୟ ବେହେରାଙ୍କ ବଡଝିଅ ଚିନ୍ମୟୀ । ପିଲାଦିନୁ ସ୍ନାୟୁ ରୋଗରେ ପିଡୀତ ହୋଇ ଏବେ ଗୋଟିଏ ସ୍ଥାନରେ ହିଁ ଏହି ଝିଅଟି ପଡିରହିଛି । ଅଭିଯୋଗ ହୋଇଛି ନବେ ପ୍ରତିଶତ ଭିନ୍ନକ୍ଷମ ଥିଲେ ବି ଭତ୍ତା ଟିଏ ମିଳିପାରିନାହିଁ । ଆଉ ଅନେକ ଥର ଆବେଦନ କରିଥିଲେ ବି ପ୍ରଶାସନର ନଜରରେ ପଡିନି ଏହି ଦିବ୍ୟାଂଗଙ୍କ ଦୁଃଖ କାହାଣୀ । ସେପଟେ ସ୍ଥାନୀୟ ବିଧାୟକ କହିଛନ୍ତି ଏ ବାବଦରେ ତାଙ୍କ ପାଖରେ ଖବର ନଥିବାବେଳେ ଏନେଇ ସେ ପଦକ୍ଷେପ ନେବେ ।

କୋଣାର୍କ ବଡତରା ଗାଁର ଚିତ୍ରସେନ ପ୍ରଧାନ । ୧୫ ବର୍ଷ ହେଲା ଭଂଗା କୁଡିଆ ଘରେ ପରିବାରର ୫ ସଦସ୍ୟଙ୍କ ସହ ପଡିରହିଥିଲେ ବି ଇନ୍ଦିରାଆବାସଟିଏ ମିଳିପାରିନି । ଆଉ ମାତ୍ର ୩୦୦ଟଙ୍କା ଭତ୍ତା ହିଁ ତାଙ୍କ ପାଇଁ ସବୁକିଛି । ପାଖରେ ରାସନକାର୍ଡ ଖଣ୍ଡିଏ ନଥିବାବେଳେ କିଛିଦିନହେଲା ପଡୋଶୀମାନେ ଚାନ୍ଦା କରି ଏବେ ତାଙ୍କୁ ଗୋଟିଏ ବେଳା ଖାଇବାକୁ ଦେଉଛନ୍ତି । ଏହି ତିନିଟି ଚିତ୍ର କେବଳ ଉଦାହରଣ ମାତ୍ର । କେବେ ଏମାନଙ୍କୁ ସହାୟତା ମିଳିପାରୁଛି ତାହାକୁ ଅପେକ୍ଷା କରିଛନ୍ତି ଏହି ଦିବ୍ୟାଂଗମାନେ ।